କାନାଡାରେ ଯୁଦ୍ଧାଭ୍ୟାସ ବେଳେ ଭୟଙ୍କର ଅଗ୍ନିକାଣ୍ଡ,ନିଆଁରେ ପୋଡ଼ି ୪ ଜଣ ସୈନିକ ମୃତ

କାନାଡାରେ ଯୁଦ୍ଧାଭ୍ୟାସ ବେଳେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩୯ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କାନାଡାର ଆଲବର୍ଟା ପ୍ରଦେଶର ଏକ ସାମରିକ ଘାଟିରେ ଏହି ଅଘଟଣ ଘଟିଛି । ହଠାତ୍ ପବନର ଦିଗ ବଦଳିଯିବାରୁ ନିଆଁ ଦ୍ରୁତଗତିରେ ସୈନିକମାନଙ୍କ ଆଡ଼କୁ ମାଡ଼ି ଆସିଥିଲା । ଫଳରେ ଅନେକ ସୈନିକ ନିଆଁ ଘେରରେ ଫସିଯାଇଥିଲେ ।

ସୂଚନା ଅନୁଯାୟୀ, ଶନିବାର ‘ପ୍ରିନ୍ସେସ୍ ପାଟ୍ରିସିଆସ୍ କାନାଡିଆନ୍ ଲାଇଟ୍ ଇନଫାଣ୍ଟ୍ରି’ର ତୃତୀୟ ବାଟାଲିୟନର ସୈନିକମାନେ ଏକ କଠିନ ଯୁଦ୍ଧାଭ୍ୟାସ କରୁଥିଲେ । ପ୍ରାୟ ୮୪ ଜଣ ସୈନିକଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଦଳ ଗ୍ରେନେଡ୍ ନିକ୍ଷେପ ଅଭ୍ୟାସ କରୁଥିବା ବେଳେ ଅନ୍ୟ ଦଳ ଶତ୍ରୁପକ୍ଷର କାଳ୍ପନିକ ଘାଟି ଉପରେ ଆକ୍ରମଣ କରିବାର ଅଭ୍ୟାସ କରୁଥିଲା । ଏହି ସମୟରେ ଦ୍ୱିତୀୟ ଅଭ୍ୟାସ କ୍ଷେତ୍ରକୁ ନିଆଁ ବ୍ୟାପିଯାଇଥିଲା ।

ସାମରିକ ଅଧିକାରୀଙ୍କ କହିବା ଅନୁଯାୟୀ, ନିଆଁ ଲାଗିବା ସମ୍ପର୍କରେ ଅନେକ ଘଣ୍ଟା ପୂର୍ବରୁ ସୂଚନା ମିଳିଥିଲା । ତେବେ ନିଆଁ ନିୟନ୍ତ୍ରଣକୁ ଆସିଥିବା ଭାବି ଯୁଦ୍ଧାଭ୍ୟାସ ଜାରି ରଖାଯାଇଥିଲା । କିନ୍ତୁ ହଠାତ୍ ପବନର ଦିଗ ବଦଳିଯିବାରୁ ପରିସ୍ଥିତି ଭୟଙ୍କର ହୋଇପଡ଼ିଥିଲା । ମାତ୍ର ୩୬ ସେକେଣ୍ଡ ମଧ୍ୟରେ ନିଆଁ ପ୍ରାୟ ଏକ କିଲୋମିଟର ଦୂରତା ଅତିକ୍ରମ କରି ସୈନିକଙ୍କ ନିକଟରେ ପହଞ୍ଚିଯାଇଥିଲା । ଫଳରେ ସୈନିକମାନେ ନିଆଁ ଘେରରେ ଫସିଯାଇଥିଲେ ।

ଏହି ଘଟଣାରେ ଆହତ ୩୯ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୮ ଜଣଙ୍କ ଅବସ୍ଥା ସ୍ଥିର ରହିଛି । ଅନ୍ୟ ୧୨ ଜଣଙ୍କୁ ମଧ୍ୟ ଚିକିତ୍ସା ଦିଆଯାଉଛି । ଗୁରୁତର ଭାବେ ପୋଡ଼ିଯାଇଥିବା କିଛି ସୈନିକଙ୍କୁ ଅନେକ ସପ୍ତାହ କିମ୍ବା ମାସ ଧରି ଚିକିତ୍ସାର ଆବଶ୍ୟକତା ପଡ଼ିପାରେ ।

ଅନ୍ୟପଟେ, ଏହି ଦୁଃଖଦ ଘଟଣାକୁ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଶାନ୍ତିକାଳରେ ଦେଶର ସେନା ସହ ଘଟିଥିବା ସବୁଠାରୁ ଗମ୍ଭୀର ଦୁର୍ଘଟଣା ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି । ଏଥିସହ ଦେଶର ସମସ୍ତ କେନ୍ଦ୍ରୀୟ ସରକାରୀ କୋଠାରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।ତେବେ ଘାସରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave a comment