ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ ପଦକ
ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ ପଦକ । ମହିଳା ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ଭାରତୀୟ ଶୁଟର ମୋନା ଅଗ୍ରୱାଲ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ୨୫୦ ସ୍କୋର କରି ମୋନା ଏହି ସଫଳତା ହାସଲ କରିଛନ୍ତି । ଏହି ଇଭେଣ୍ଟରେ ଭାରତକୁ ଦ୍ୱିତୀୟ ପଦକ ମଧ୍ୟ ମିଳିଛି । ଭାରତର ଅନ୍ୟତମ ଷ୍ଟାର୍ ଶୁଟର ଅବନୀ ଲେଖରା ୨୪୯.୬ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି ।
ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ ମୋନା ଅଗ୍ରୱାଲ ଶୀର୍ଷ ସ୍ଥାନ ହାସଲ କରିଥିଲେ । ସେ ୬୨୯.୧ ସ୍କୋର କରି ଏସିଆନ୍ ପାରା ଗେମ୍ସ ରେକର୍ଡ ସ୍ଥାପନ କରିଥିଲେ । ଅନ୍ୟପକ୍ଷରେ ଅବନୀ ଲେଖରା ଯୋଗ୍ୟତା ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଫାଇନାଲରେ ମଧ୍ୟ ଉଭୟ ଭାରତୀୟ ଖେଳାଳି ନିଜର ଦମଦାର ପ୍ରଦର୍ଶନ ଜାରି ରଖି ଦେଶ ପାଇଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି । ଏହି ସଫଳତା ସହ ମୋନା ଅଗ୍ରୱାଲ ଓ ଅବନୀ ଲେଖରା ଉଭୟେ ୨୦୨୮ ଲସ୍ ଆଞ୍ଜେଲସ୍ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
ରାଜସ୍ଥାନର ସିକରରେ ଜନ୍ମଗ୍ରହଣ କରିଥିବା ମୋନା ଅଗ୍ରୱାଲଙ୍କ ମାତ୍ର ୯ ମାସ ବୟସରେ ପୋଲିଓ ଯୋଗୁଁ ତାଙ୍କର ଉଭୟ ଗୋଡ଼ ପ୍ରଭାବିତ ହୋଇଥିଲା । କିନ୍ତୁ ଏହା ତାଙ୍କର ଖେଳ ପ୍ରତି ଆଗ୍ରହକୁ ରୋକିପାରିନଥିଲା । ପାରା ଶୁଟିଂରେ ପାଦ ଦେବା ପୂର୍ବରୁ ସେ ପାରା ଆଥଲେଟିକ୍ସ, ପାରା ପାୱାରଲିଫ୍ଟିଂ ଏବଂ ମହିଳା ସିଟିଂ ଭଲିବଲରେ ମଧ୍ୟ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ । ମୋନା ୨୦୨୪ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଚଳିତ ବର୍ଷ ପାରା ଶୁଟିଂ ବିଶ୍ୱ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରିଥିଲେ ।