ରାଜ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆସନ୍ତା ୮ରେ ସାରା ରାଜ୍ୟରେ ‘ଓଡ଼ିଶା ବନ୍ଦ’ ଡାକରା ଦେଇଛି କଂଗ୍ରେସ
ରାଜ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ ଆଭିମୁଖ୍ୟ କଡ଼ା କରିଛି ପ୍ରଦେଶ କଂଗ୍ରେସ କମିଟି (ପିସିସି)। ଆସନ୍ତା ୮ରେ ସାରା ରାଜ୍ୟରେ ‘ଓଡ଼ିଶା ବନ୍ଦ’ ଡାକରା ଦେଇଛି ଦଳ। ମଙ୍ଗଳବାର ଆୟୋଜିତ ଏକ ବୃହତ୍ ପ୍ରତିବାଦ ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ବଡ଼ ଘୋଷଣା କରିଛନ୍ତି। ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ପିସିସି ସଭାପତି କର୍ମୀଙ୍କୁ ଆହ୍ଵାନ କରିଛନ୍ତି।
ସେ ସମବେତ କର୍ମୀ ଓ ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଏହି ଆନ୍ଦୋଳନ ଓଡ଼ିଶାର ଭବିଷ୍ୟତକୁ ସୁରକ୍ଷିତ କରିବ । ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବ । ଓଡ଼ିଶାର ସୁରକ୍ଷା କରିବ । ଏହି ଲଢେଇ ହିଁ ପରିବର୍ତ୍ତନର ବାର୍ତ୍ତା ଦେବ। ତେଣୁ ଏହି ଆନ୍ଦୋଳନ ଏକ ଛୋଟ ଆନ୍ଦୋଳନ ନୁହେଁ। ତେଣୁ ପଞ୍ଚାୟତସ୍ତର, ବ୍ଲକସ୍ତର ଏବଂ ଜିଲ୍ଲାସ୍ତର ସହ ରାଜ୍ୟସ୍ତରୀୟ ସମସ୍ତ ନେତା ଓ କର୍ମୀ ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ଭକ୍ତ କହିଛନ୍ତି।
ପିସିସି ସଭାପତି ଭକ୍ତ ଦାସ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସାଧାରଣ ଜନତା, ଖଣିଜ ସମ୍ପଦ ଏବଂ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଥିବାରୁ ଦଳ ନୀରବ ରହିବ ନାହିଁ। ଏହିସବୁ ଦାବିର ପ୍ରତିବାଦରେ ଏବଂ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଆସନ୍ତା ୮ ତାରିଖରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ କରାଯିବ। ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ସାରା ରାଜ୍ୟର ଦଳୀୟ କର୍ମୀ, ନେତା ଏବଂ ଆଞ୍ଚଳିକ ସଂଗଠନଗୁଡ଼ିକୁ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଜନସାଧାରଣଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି।
ସୂଚନା ଅନୁଯାୟୀ, ଏମଏମଡିଆର ଆକ୍ଟ, ସିଇସି ଏବଂ ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ବିରୋଧରେ କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ସରକାରଙ୍କ ଜନବିରୋଧୀ ନୀତି ଏବଂ ଶିକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ କଂଗ୍ରେସ ନେତା ଓ କର୍ମୀମାନେ ଜୋରଦାର ସ୍ୱର ଉତ୍ତୋଳନ କରିଛନ୍ତି।