ଅକ୍ଟୋବର ୧୫ ରେ ପରଦାକୁ ଆସିବ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ପାନ୍-ଇଣ୍ଡିଆ ଫିଲ୍ମ Jailer 2
ସୁପରଷ୍ଟାର ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ପାନ୍-ଇଣ୍ଡିଆ ଫିଲ୍ମ Jailer 2 କୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ନଜର ଆସିବେ । ଏହି ଫିଲ୍ମରେ ବିଦ୍ୟା ବାଲାନଙ୍କ ଲୁକ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ମେକର୍ସ ବିଦ୍ୟା ବାଲାନଙ୍କ ଫାଷ୍ଟ ଲୁକ୍ ର ଟିଜର ଜାରି କରିଛନ୍ତି । ଫିଲ୍ମରେ ବିଦ୍ୟା କାନ୍ଥା ନାମକ ଚରିତ୍ରରେ ନଜର ଆସିବେ । ବିଦ୍ୟାଙ୍କ ସ୍ୱତନ୍ତ୍ର ଝଲକ ଦେଖି ଭୂମିକା ବହୁତ ଦମଦାର ହୋଇଥିବା ଜଣାପଡୁଛି । ଫିଲ୍ମଟି ଆସନ୍ତା ଅକ୍ଟୋବର ୧୫, ୨୦୨୬ ରେ ରିଲିଜ ହେବ ।
୨୦୨୩ ର ସୁପରହିଟ୍ ଫିଲ୍ମ ଜେଲର୍ ସଫଳତା ପରେ ରଜନୀକାନ୍ତ ପୁଣି ଥରେ ଟାଇଗର୍ ମୁଥୁଭେଲ୍ ପାଣ୍ଡିଆନ୍ ଭୂମିକାରେ ଫେରୁଛନ୍ତି । ବିଦ୍ୟା ବଲାନଙ୍କ ବ୍ୟତୀତ ଏହି ସିକ୍ୱେଲରେ ଏସ୍.ଜେ. ସୂର୍ଯ୍ୟ, ମାଲାୟାଲମ୍ ଅଭିନେତା ସୂରଜ ୱେଞ୍ଜାରାମୁଡୁ, ମିଥୁନ ଚକ୍ରବର୍ତ୍ତୀ ଏବଂ ଜତିନ୍ ସର୍ଣ୍ଣା ମଧ୍ୟ ନୂଆ ଭୂମିକାରେ ନଜର ଆସିବେ । କନ୍ନଡ଼ ସୁପରଷ୍ଟାର ଶିବ ରାଜକୁମାର ମଧ୍ୟ ଏଥିରେ କେମିଓ ଭୂମିକାରେ ନଜର ଆସିପାରନ୍ତି । ଅନିରୁଦ୍ଧ ରବିଚନ୍ଦର ମ୍ୟୁଜିକ ଦାୟିତ୍ବ ନେଇଛନ୍ତି ।
ଫିଲ୍ମରେ ବିଦ୍ୟା ବାଲାନଙ୍କ ଭୂମିକାକୁ ନେଇ ଅଧିକ କିଛି ସୂଚନା ମିଳିନି । ହେଲେ ବିଦ୍ୟା ମିଥୁନ ଚକ୍ରବର୍ତ୍ତୀଙ୍କ ବଡ଼ ଝିଅ ଭୂମିକାରେ ନଜର ଆସନ୍ତି ବୋଲି ଜଣାପଡିଛି । ଫିଲ୍ମରେ ମିଥୁନ ମେନ୍ ଖଳନାୟକ ଭୂମିକାରେ ନଜର ଆସିବେ । ସେ ରଜନୀକାନ୍ତଙ୍କ ଚରିତ୍ର ମୁଥୁଭେଲ ପାଣ୍ଡିଆନଙ୍କୁ କଡ଼ା ଟକ୍କର ଦେବେ । ବିଦ୍ୟାଙ୍କ ଭୂମିକା ଏହି ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ହୋଇପାରେ । ତେବେ ଏନେଇ ବିଶେଷ କିଛି ଜଣାପଡିନାହିଁ । ଏଥିରେ ମୋହନଲାଲ, ଶିବା ରାଜକୁମାର, ଜ୍ୟାକି ଶ୍ରଫ, ବିଜୟ ସେତୁପତି, ହ୍ରିତିକ ରୋଶନ ଭଳି କଳାକାର ନଜର ଆସିପାରନ୍ତି ।
ପ୍ରଥମ ଫିଲ୍ମ ଜେଲର ୨୦୨୩ରେ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଭଲ ଆୟ ମିଳିଥିଲା । ଫିଲ୍ମଟି ସାରା ବିଶ୍ବରେ ୬୦୪ କୋଟିରୁ ଅଧିକ ଆୟ କରିଥିଲା । ତେଣୁ ଏହାର ସିକ୍ବେଲକୁ ନେଇ ଦର୍ଶକେ ବେଶ୍ ଉତ୍ସାହିତ ରହିଛନ୍ତି ।