ପଶ୍ଚିମବଙ୍ଗ ନନ୍ଦୀଗ୍ରାମ ଉପନିର୍ବାଚନ ପୂର୍ବରୁ ତେଜିଲା ରାଜନୈତିକ ଉଷ୍ମତା, କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଗିରଫ କଲା ପୋଲିସ
ପଶ୍ଚିମବଙ୍ଗ ନନ୍ଦୀଗ୍ରାମ ଉପନିର୍ବାଚନ ପୂର୍ବରୁ ତେଜିଲା ରାଜନୈତିକ ଉଷ୍ମତା। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ ଘୋଷଣା କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ଏକ ପୁରୁଣା ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଆସନ୍ତା ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ନନ୍ଦୀଗ୍ରାମ ବିଧାନସଭା ଉପନିର୍ବାଚନ ପାଇଁ କାଳୀଘାଟସ୍ଥିତ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ମମତା ବାନାର୍ଜୀ। ଇଣ୍ଡିଆ ମେଣ୍ଟକୁ ମଜଭୁତ କରିବା ଉଦ୍ଦେଶ୍ୟରେ ତାଙ୍କ ଗୋଷ୍ଠୀ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ ଜଣାଇବ ବୋଲି ସେ ଘୋଷଣା କରିଥିଲେ । ଏପରିକି ସେ କଂଗ୍ରେସକୁ ଏକ ସହଯୋଗୀ ଦଳ ବୋଲି ଅଭିହିତ କରି ଏହି ବାର୍ତ୍ତା ପଶ୍ଚିମବଙ୍ଗରୁ ହିଁ ଆରମ୍ଭ ହେଉ ବୋଲି କହିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଲୋଚନା ପରେ ତୃଣମୂଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସଞ୍ଚିତା ପ୍ରଧାନ ଦେ ନିଜ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ମାତ୍ର ମମତାଙ୍କ ଏହି ସମର୍ଥନ ଘୋଷଣାର କିଛି ଘଣ୍ଟା ନପୁରୁଣୁ, ଏକ ପୁରୁଣା ହତ୍ୟା ମାମଲାକୁ ନେଇ ପୋଲିସ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଗିରଫ କରିବା ଘଟଣା ଏବେ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି।