ଶଙ୍ଖ ନଦୀରେ ବଡ଼ ଅଘଟଣ , ନଦୀରେ ବୁଡ଼ିଗଲେ 6 ନାବାଳିକା, 3 ମୃତ 3 ଉଦ୍ଧାର
ଶଙ୍ଖ ନଦୀରେ ବଡ଼ ଅଘଟଣ । ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ରାଇବାଗା ଥାନା ଦଲକି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୁନ୍ଦରଗଡ଼ ଜିଲ୍ଲା ରାଇବାଗା ଥାନା ଦଲକି ଗାଁ କିଛି ନାବାଳିକା କରମା ପୂଜା ପାଇଁ ଶଙ୍ଖ ନଦୀକୁ ବାଲି ଓ ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ ଶଙ୍ଖ ନଦୀରେ ପ୍ରବଳ ପାଣି ଥିବାରୁ ପ୍ରଖର ସ୍ରୋତ ରହିଥିଲା । ଯାହା ଫଳରେ ନଦୀର ପ୍ରଖର ସ୍ରୋତରେ ଜଣଙ୍କ ପରେ ଜଣେ ଏମିତି ୬ ଜଣ ନାବାଳିକା ନଦୀରେ ବୁଡ଼ି ଯାଇଥିଲେ ।ନାବାଳିକା ମାନେ ବୁଡ଼ି ଯାଉଥିବା ଦେଖି ନିକଟରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ସେଠାକୁ ଦୌଡି ଆସିଥିଲେ । ବୁଡିଯାଉଥିବା ୬ ଜଣ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ସେମାନଙ୍କୁ ବୀରମିତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ତେବେ ସେଠାରେ ୩ ନାବାଳିକାଙ୍କ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଅନ୍ୟ ୩ ଜଣଙ୍କ ଚିକିତ୍ସା ଜାରି ରହିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତ ନାବାଳିକାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ।