ଗଣପତି ବାପ୍ପା ମୋରିଆ । ଆଜି ପବିତ୍ର ଗଣେଶ ପୂଜା । ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ । ଓଡ଼ିଶାର ସ୍କୁଲ-କଲେଜରେ ପୂଜାର ଧୂମ୍ । ଗଣେଶ ପୂଜା ସହ ଛାତ୍ରଛାତ୍ରୀଙ୍କ ଏକ ନିଆରା ସମ୍ପର୍କ ରହିଛି । ସକାଳୁ ସକାଳୁ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି । ନୂଆ ପୋଷାକ ପିନ୍ଧି ଛାତ୍ରଛାତ୍ରୀ ପୂଜାରେ ସାମିଲ ହୋଇଛନ୍ତି ।
ବହି, ଖାତା ଓ କଲମ ଗଣେଶଙ୍କ ନିକଟରେ ରଖି ବିଦ୍ୟା ଓ ବୁଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିବେ ଛାତ୍ରଛାତ୍ରୀ । ପୂଜା ସହ ଓଡ଼ିଆ ଘରର ପାରମ୍ପରିକ ପ୍ରସାଦର ମଧ୍ୟ ରହିଛି ଅଲଗା ଆକର୍ଷଣ । ଚୂଡ଼ାଘସା, ଖଇ, ନଡ଼ିଆ, କଦଳୀ ଓ ବୁନ୍ଦିଆ ଲଡୁ ପ୍ରସାଦରେ ଗଣେଶ ପୂଜାର ସ୍ମୃତି ଅନେକଙ୍କ ପାଇଁ ପିଲାଦିନ ସହ ଯୋଡ଼ି ହୋଇରହିଛି । ଓଡ଼ିଶାର ଗଣେଶ ପୂଜା ମାନଚିତ୍ରରେ ଜଟଣୀର ସ୍ଥାନ ସ୍ୱତନ୍ତ୍ର । ଏଠାରେ ବର୍ଷ ବର୍ଷ ଧରି ବଡ଼ ଆକାରରେ ସାର୍ବଜନୀନ ଗଣେଶ ପୂଜା ଆୟୋଜିତ ହୋଇଆସୁଛି ।
ବିଶାଳ ତୋରଣ, ଆକର୍ଷଣୀୟ ପଣ୍ଡାଲ, ଆଲୋକସଜ୍ଜା ଓ ମେଳା ପାଇଁ ଜଟଣୀର ଗଣେଶୋତ୍ସବ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆକର୍ଷିତ କରେ । ଭୁବନେଶ୍ୱର ଓ କଟକରେ ମଧ୍ୟ ବିଭିନ୍ନ ପୂଜା କମିଟି ପକ୍ଷରୁ ଗଣେଶ ପୂଜାର ବ୍ୟାପକ ଆୟୋଜନ ହୁଏ । ସେହିପରି ତାଳଚେର, ଅନୁଗୋଳ ଓ ରାଉରକେଲା ଭଳି ଶିଳ୍ପାଞ୍ଚଳରେ ବିଭିନ୍ନ କ୍ଲବ, ସଂଗଠନ ଓ ପୂଜା କମିଟି ପକ୍ଷରୁ ଆଡ଼ମ୍ବରରେ ଗଜାନନଙ୍କ ଆରାଧନା କରାଯାଏ । ବିଘ୍ନ ଦୂର କରନ୍ତୁ ବିଘ୍ନହର୍ତ୍ତା, ଆଣନ୍ତୁ ସୁଖ-ସମୃଦ୍ଧି ।