ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପ୍ରକୋପ,ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ବହିବ ପବନ
ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପ୍ରକୋପ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓଡ଼ିଶା ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି ।
ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଭଳି ଜିଲ୍ଲାରେ ବର୍ଷାର ସମ୍ଭାବନା ଅଛି । ଏହି ଅଞ୍ଚଳ ପାଇଁ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ଓ ବିଜୁଳି-ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
୧୫ ତାରିଖ ବେଳକୁ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ଏଥିସହ ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି। ୧୬ ତାରିଖ ଦିନ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ଏହା ପରେ ପରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।