ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ

ଅବୁଧାବୀ କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଅଲ ନାହୟାନ ଅଷ୍ଟାଦଶ ବ୍ରିକସ୍ ଶିଖର ସମ୍ମିଳନୀରେ ଯୋଗଦେବା ପରେ ତାଙ୍କ ଦେଶକୁ ଫେରି ଯାଇଛନ୍ତି। କୁହାଯାଉଛି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଚଳାଇଥିବା ଯୁଦ୍ଧ ଯୋଗୁ ସେ ସମ୍ମିଳନୀ ମଝିରୁ ଫେରି ଯାଇଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ସେ ନୂଆ ଦିଲ୍ଲୀରେ ଇରାନ ରାଷ୍ଟ୍ରପତି ମସୂଦ ପେଜେସ୍କିୟାନଙ୍କୁ ଭେଟିଥିଲେ। ପଶ୍ଚିମ ଏସିୟା ଯୁଦ୍ଧ ପରେ ଇରାନ ରାଷ୍ଟ୍ରପତି ଓ ଅବୁଧାବୀ ପ୍ରିନ୍ସ ଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ।

ଏଠାରେ ଉଭୟ ନେତାଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏହା ଛଡା କ୍ରାଉନ ପ୍ରିନ୍ସ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସେ ଭେଟିଛନ୍ତି। ବୈଠକ ପରେ କ୍ରାଉନ ପ୍ରିନ୍ସ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ଏଥିରେ ଉଭୟ ପକ୍ଷ କ୍ଷେତ୍ରିୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଚର୍ଚ୍ଚା କରିଥିବା, ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ, ଉତ୍ତେଜନା ହ୍ରାସ କରିବା ଓ କ୍ଷେତ୍ରରେ ସ୍ଥିରତା ଆଣିବାର ମହତ୍ୱ ଉପରେ ମଧ୍ୟ କଥା ହୋଇଥିବା ଉଲ୍ଲେଖ କରିଥିଲେ।

ଉପସାଗରୀୟ କ୍ଷେତ୍ରରେ ଜବାବୀ କାର୍ଯ୍ୟାନୁଷ୍ଠାନ କାଳରେ ଇରାନ ୟୁଏଇ ଉପରେ ଲଗାତାର ବାଲିଷ୍ଟିକ୍ ମିଜାଇଲ ଓ ଡ୍ରୋନ ଆକ୍ରମଣ କରିଥିଲା। ଏଣୁ ଦୁବାଇ ଓ ଅବୁଧାବୀରେ ଏନର୍ଜୀ ଭିତ୍ତିଭୂମି, ବନ୍ଦର ଓ ବାଣିଜ୍ୟିକ ସୁବିଧା ପ୍ରଭାବିତ ହୋଇଥିଲା। ସେହିପରି ସାଉଦୀ ଆରବ ଡ୍ରୋନ ଆକ୍ରମଣ ପରେ ତାର ଇଷ୍ଟୱେଷ୍ଟ ଅଏଲ ପାଇପଲାଇନକୁ ବନ୍ଦ କରିଦେଇଛି। ଆରବ ଅନ୍ତରୀପରେ ବ୍ୟାପିଥିବା ଏହି ପାଇପଲାଇନ ବନ୍ଦ ହେବା ଯୋଗୁ ତୈଳ ଯୋଗାଣରେ ବଧା ଉପଜିବା ନେଇ ସାରା ବିଶ୍ୱରେ ଉଦବେଗ ପ୍ରକାଶ ପାଇଛି। ନୂଆଦିଲ୍ଲୀରେ ଇରାନ ଦୂତାବାସ ଏହି ବୈଠକ ପୁଷ୍ଟି କରିଛି।

ଏପଟେ ହୁତି ବିଦ୍ରୋହୀ ଓ ସାଉଦୀ ଆରବ ମଧ୍ୟରେ ଉତ୍ତେଜନା ଜାରି ରହିଛି। ହୁତି ବିଦ୍ରୋହୀମାନେ ଶୁକ୍ରବାର ଷ୍ଟ୍ରେଟ୍ ଅଫ ଅଲ-ମଣ୍ଡେଭ ଅକ୍ତିଆର କରିନେଇଥିଲେ। ଏହାଛଡା ସେମାନେ ପେରିମ ଆଇଲ୍ୟାଣ୍ଡକୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଏଣୁ ଏହି ରାସ୍ତାରେ ୟୁରୋପ କୁ ହେଉଥିବା ତୈଳ ଯୋଗାଣ ବନ୍ଦ ହୋଇଯିବାର ଆଶଙ୍କା ଉପୁଜିଛି। ହୁତି ବିଦ୍ରୋହୀମାନେ କହିଛନ୍ତି ଯେ ଏହି ରାସ୍ତାରେ କେବଳ ସାଉଦୀ ଜାହାଜଙ୍କ ଚଳାଚଳ ବନ୍ଦ ରହିବ। ଶନିବାର ଆସୁଥିବା ଖବରରେ ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ରଣନୈତିକ ବନ୍ଦର ସହର ମୋଖାକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।ଏହା ଅଲ-ମଣ୍ଡେଭଠାରୁ ୭୫ କିଲୋମିଟର ଦୂରରେ ଥିବା ବେଳେ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ଏବେ ହୁତିମାନେ ୟେମେନର ଗୁରୁତ୍ୱପୂର୍ଣ୍ଣ ସହର ତାଇଜ ଆଡକୁ ବଢୁଛନ୍ତି। ଏପଟେ ସାଉଦୀ ଆରବ ପାକିସ୍ତାନ ମାଧ୍ୟମରେ ଇରାନକୁ ବାର୍ତ୍ତା ଦେଇ ହୁତି ଆକ୍ରମଣ ରୋକିବାକୁ କହିଛି। ହେଲେ ହୁତିଙ୍କ ଉପରେ ଆମର କୌଣସି ନିୟନ୍ତ୍ରଣ ନଥିବା ଇରାନ ସ୍ପଷ୍ଟ କରିଦେଇଛି।

Leave a comment