ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦: ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଛି ଭାରତ

ଚଳିତ ବର୍ଷ ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ରେ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଛି ଭାରତ । ଭାରତୀୟ ବୋଲରଙ୍କ ଆଗରେ ପାକିସ୍ତାନୀ ବ୍ୟାଟର୍‌ମାନେ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲେ । ଶ୍ରୀ ଚାରଣୀ ୩ଟି, ପ୍ରେମା ରାୱତ ୩ଟି ଏବଂ ଦୀପ୍ତି ଶର୍ମା ୨ଟି ୱିକେଟ୍‌ ନେଇ ପାକିସ୍ତାନର ବ୍ୟାଟିଂ ଲାଇନ୍‌ଅପ୍‌କୁ ଧ୍ୱଂସ କରିଦେଇଥିଲେ । ୫୬ ରନ୍‌ର ଛୋଟ ଟାର୍ଗେଟ୍‌କୁ ଭାରତ ମାତ୍ର ୮.୪ ଓଭରରେ ୩ ୱିକେଟ୍‌ ହରାଇ ହାସଲ କରିନେଇଥିଲା । କିନ୍ତୁ ମ୍ୟାଚ୍‌ ପରେ ଆଉ ଏକ ଘଟଣା ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି।

ଭାରତର ପୂର୍ବତନ ଅଲ୍‌ରାଉଣ୍ଡର ଇର୍ଫାନ୍ ପଠାନ୍ ‘ଏକ୍ସ’ରେ ମାତ୍ର ଚାରି ଶବ୍ଦରେ ପାକିସ୍ତାନକୁ ଟ୍ରୋଲ୍‌ କରିଛନ୍ତି । ସେ ଲେଖିଥିଲେ ଯେ, “ଆଜି ରବିବାର କି?’’ ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗତ ବର୍ଷ ଭାରତ-ପାକିସ୍ତାନ ମଧ୍ୟରେ ଲଗାତାର ତିନିଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ରବିବାର ଖେଳାଯାଇଥିଲା। ଆଉ ତିନୋଟି ମ୍ୟାଚ୍‌ରେ ହିଁ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସେତେବେଳେ ମଧ୍ୟ ଇର୍ଫାନ୍ ପଠାନଙ୍କ ପୋଷ୍ଟ୍‌ ଚର୍ଚ୍ଚାରେ ଥିଲା । ଭାରତର ବିଜୟ ପରେ ସେ ଲେଖିଥିଲେ ଯେ, “ରବିବାର କେମିତି ରହିଲା ପଡ଼ୋଶୀ?” ଏବେ ପୁଣି ରବିବାରକୁ ନେଇ ଇର୍ଫାନଙ୍କ ଏହି ଛୋଟିଆ ପୋଷ୍ଟ୍‌ ପାକିସ୍ତାନ ଉପରେ ତାଙ୍କର ମଜାଳିଆ ଟ୍ରୋଲ୍‌ ଭାବେ ଭାଇରାଲ୍‌ ହେଉଛି ।

ଏହି ବିଜୟ ସହ ପାକିସ୍ତାନ ବିପକ୍ଷରେ ମହିଳା ଟିମ୍‌ ଇଣ୍ଡିଆର ୮ଟି ମ୍ୟାଚ୍‌ରେ ଏହା ସପ୍ତମ ବିଜୟ । ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଏବଂ ମ୍ୟାଚ୍‌ ପରେ ଇର୍ଫାନ୍ ପଠାନଙ୍କ ଚାରି ଶବ୍ଦର ଦୁଇଟି ଯାକ ପୋଷ୍ଟ ଏବେ କ୍ରିକେଟ୍‌ ଫ୍ୟାନ୍‌ଙ୍କ ମଧ୍ୟରେ ଚର୍ଚ୍ଚାରେ ସୃଷ୍ଟି କରୁଛି ।

Leave a comment