ଭାରତ – ବ୍ରାଜିଲ ପୁଟବଲ ମ୍ୟାଚ: ଟିକଟର ମୂଲ୍ୟ ୯୯୯ରୁ ୧୫,୦୦୦ ଟଙ୍କା
କଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ଅକ୍ଟୋବର ୩ରେ ୫ ଥର ବିଶ୍ବକପ୍ ଚମ୍ପିଆନ ବ୍ରାଜିଲ ବିପକ୍ଷରେ ଭାରତୀୟ ଫୁଟ୍ବଲ ଦଳ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ପାଇଁ ଟିକଟର ମୂଲ୍ୟ ୯୯୯ରୁ ୧୫,୦୦୦ ଟଙ୍କା ରଖାଯାଇଛି। ବୁଧବାର ଅପରାହ୍ଣ ୪ଟାରୁ ଅନ୍ଲାଇନ୍ରେ ଏହି ମ୍ୟାଚ୍ର ଟିକଟ ବିକ୍ରି ଆରମ୍ଭ ହୋଇଛି। ମାତ୍ର ୨୦ ମିନିଟ ମଧ୍ୟରେ ସବୁଠାରୁ ଶସ୍ତା ୯୯୯ ଟଙ୍କାରୁ ୫୦୦୦ ଟଙ୍କାର ଟିକଟର ୯୦ ପ୍ରତିଶତ ବିକ୍ରି ହୋଇଯାଇଛି। ଦିନକ ମଧ୍ୟରେ ୯୯୯ରୁ ୫୦୦୦ ଟଙ୍କାର ଟିକଟ ସରିଯିବ ବୋଲି ଆୟୋଜକ ଆଶା ରଖିଛନ୍ତି। ସବୁଠାରୁ ଦାମୀ ଟିକଟର ମୂଲ୍ୟ ୧୫,୦୦୦ ଟଙ୍କା ରହିଥିବା ବେଳେ ଏହାର ବିକ୍ରି ଧିମା ରହିଛି। ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ୮୫ ହଜାର ଦର୍ଶକ ବସିବାର ବ୍ୟବସ୍ଥା ରହିଛି। ତେଣୁ ବ୍ରାଜିଲ ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଭରପୂର ଷ୍ଟାଡିୟମ୍ରେ ଖେଳାଯିବ ବୋଲି ଜଣାପଡ଼ିଛି। କଲକାତା ଓ ପଶ୍ଚିମବଙ୍ଗରେ ଫୁଟ୍ବଲର ବହୁତ ଚାହିଦା ରହିଛି ଏବଂ ବ୍ରାଜିଲ ସେମାନଙ୍କର ପ୍ରିୟ ଦଳ। ତେଣୁ ନିଜମାଟିରେ ସାମ୍ବା ମ୍ୟାଜିକ୍ ଦେଖିବାର ସୁଯୋଗ ବଙ୍ଗଳାବାସୀ ହାତଛଡ଼ା କରିବେ ନାହିଁ। ପୁଣି ପଶ୍ଚିମବଙ୍ଗକୁ ଛାଡ଼ି ଅନ୍ୟ ରାଜ୍ୟର ଫୁଟ୍ବଲପ୍ରେମୀ ମଧ୍ୟ ଟିକଟ କିଣିଛନ୍ତି। ଗତ ଫୁଟ୍ବଲ ବିଶ୍ବକପ୍ ପରେ ଏହା ବ୍ରାଜିଲର ପ୍ରଥମ ମ୍ୟାଚ୍ ହେବ। ୨୦୨୮ କୋପା ଆମେରିକା ଓ ୨୦୩୦ ବିଶ୍ବକପ୍ ପାଇଁ ବ୍ରାଜିଲ ଏବେଠାରୁ ଦଳ ଗଢ଼ିବାକୁ ଚାହୁଁଥିବାରୁ ଉକ୍ତ ଦୁଇଟି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଥିବା ବ୍ରଜିଲ ଦଳ ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବ ବୋଲି ବ୍ରାଜିଲ ଫୁଟ୍ବଲ ମହାସଂଘ ଘୋଷଣା କରିଛି। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ବେଙ୍ଗାଲୁରୁରେ ସେପ୍ଟେମ୍ବର ୨୬ରେ ପାନାମା ବିପକ୍ଷରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବ। ବ୍ରାଜିଲ ସହ ଖେଳିବା ପରେ ଅକ୍ଟୋବର ୬ରେ ଦୁଇ ଥର ବିଶ୍ବ ଚମ୍ପିଆନ ଉରୁଗୁଏ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ।