ଆୟୁଷ୍ମାନ ଭାରତ ଯୋଜନାରେ ମିଶିବ ନାହିଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା

ଆୟୁଷ୍ମାନ ଭାରତ ଯୋଜନାରେ ମିଶିବ ନାହିଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟତା ମିଳିବା ପରେ ସାମ୍ବାଦିକ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନା ସହ ମିଶାଇବା ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଥିଲା। ତେବେ ଏହି ଦୁଇଟି ଯୋଜନାକୁ ଏକାଠି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପୂର୍ବରୁ ଅନ୍ତର୍ଭୁକ୍ତ ଥିବା ସାମ୍ବାଦିକମାନେ ଆଗକୁ ମଧ୍ୟ ଏହି ଯୋଜନାର ସୁବିଧା ପାଇପାରିବେ। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏହା ସହିତ ଯେଉଁ ସାମ୍ବାଦିକମାନେ ଏପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହୋଇନାହାନ୍ତି, କିନ୍ତୁ ନୂଆକରି ଅନ୍ତର୍ଭୁକ୍ତ ହେବାକୁ ଚାହୁଁଛନ୍ତି, ସେମାନେ ନିୟମ ଅନୁଯାୟୀ ଆବେଦନ କରିପାରିବେ। ଯୋଗ୍ୟତା ଆଧାରରେ ସେମାନଙ୍କୁ ଯୋଜନାରେ ସାମିଲ କରାଯିବ।ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପୂର୍ବପରି ଜାରି ରଖିବା ନିଷ୍ପତ୍ତି ପାଇଁ ଓଡ଼ିଶା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ (ଓୟୁଜେ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି। ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି ଯୋଜନାର ଗୁରୁତ୍ୱ ରହିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସାମ୍ବାଦିକମାନେ ପୂର୍ବପରି ସ୍ୱାସ୍ଥ୍ୟ ବୀମା ସୁବିଧା ପାଇପାରିବେ ବୋଲି ଓୟୁଜେ ପକ୍ଷରୁ କୁହାଯାଇଛି।

Leave a comment