ଆଜି ଶ୍ରାବଣ ମାସର ଶେଷ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି । ବୋଲବମ୍ ହର ହର ବମ୍ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ହରହର ମହାଦେବଙ୍କ ଧ୍ୱନି । ଭୋଳାବାବାଙ୍କ ଆଶୀର୍ବାଦ ପାଇବା ପାଇଁ ହାତରେ କଳସ ଓ କାନ୍ଧରେ ବାହୁଙ୍ଗି ଧରି ମାଇଲ୍ ମାଇଲ୍ ବାଟ ଚାଲି ଚାଲି ଆଗେଇ ଚାଲିଛନ୍ତି କାଉଡ଼ିଆ ଭକ୍ତ । ଖରା-ବର୍ଷା କୌଣସି ବାଧା ବି ଭକ୍ତଙ୍କ ଆସ୍ଥା ଆଗରେ ତିଷ୍ଠି ପାରିନାହିଁ । ବିଭିନ୍ନ ନଦୀ ଓ ଘାଟରୁ ପବିତ୍ର ଜଳ ଉଠାଇ ବାବା ଲିଙ୍ଗରାଜ, ଧବଳେଶ୍ୱର, ଲୋକନାଥ, କପିଳାସ, ଆଖଣ୍ଡଳମଣିଙ୍କ ସମେତ ରାଜ୍ୟର ପ୍ରମୁଖ ଶୈବପୀଠ ଆଡ଼କୁ ଛୁଟିଛି ଭକ୍ତଙ୍କ ସୁଅ । ଜଳଲାଗି ପାଇଁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ। ଶୈବପୀଠରେ ଜଳଲାଗି କରିବାକୁ କାଉଡିଆଙ୍କ ପ୍ରବଳ ସମାଗମ ହୋଇଛି ।
ଲିଙ୍ଗରାଜ ମନ୍ଦିରରେ ଭୋରୁ ଲାଇନ ଲଗାଇଛନ୍ତି କାଉଡିଆ । ଫୁଲରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର । ଭିଡ଼କୁ ଦୃଷ୍ଟିରେ ରଖି ଶୈବପୀଠରେ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍, ଧାଡ଼ି ବ୍ୟବସ୍ଥା, ପାନୀୟ ଜଳ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତମାନଙ୍କ ଦର୍ଶନ ଯେପରି ଶୃଙ୍ଖଳିତ ଭାବେ ହୋଇପାରିବ, ସେଥିପାଇଁ ପୋଲିସ ଓ ସ୍ୱେଚ୍ଛାସେବୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ଶ୍ରାବଣର ଶେଷ ସୋମବାରରେ ଭକ୍ତିମୟ ହୋଇଉଠିଛି ସାରା ପରିବେଶ । ମହାଦେବଙ୍କ ଦର୍ଶନ ଓ ଜଳାଭିଷେକ କରି ଭକ୍ତମାନେ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କରୁଛନ୍ତି ପ୍ରାର୍ଥନା । ଚାରିଆଡ଼େ ଶୁଭୁଛି ଗୋଟିଏ ଧ୍ୱନି “ହର ହର ମହାଦେବ ” ।