ଜାପାନରେ ଭୂକମ୍ପର ଜୋରଦାର ଝଟକା,୪ଟି ପ୍ରଦେଶରେ ମୋଟ ୨୩ ଜଣ ଆହତ

ଜାପାନରେ ରବିବାର ଭୋରୁ ଭୂକମ୍ପର ଜୋରଦାର ଝଟକା । ରାଜଧାନୀ ଟୋକିଓ ସମେତ ପୂର୍ବ ଜାପାନର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ପ୍ରାରମ୍ଭିକ ଭାବେ ଏହାର ତୀବ୍ରତା ୫.୯ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ କରାଯାଇଛି । ଭୂକମ୍ପ ଯୋଗୁଁ ୪ଟି ପ୍ରଦେଶରେ ମୋଟ ୨୩ ଜଣ ଆହତ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ଅଧିକାଂଶଙ୍କୁ ସାମାନ୍ୟ ଆଘାତ ଲାଗିଛି । ଜାପାନ ମେଟିଅରୋଲଜିକାଲ ଏଜେନ୍ସି ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ ଇବାରାକି ପ୍ରାନ୍ତରେ ଥିଲା । ଭୂପୃଷ୍ଠରୁ ପ୍ରାୟ ୭୦ କିଲୋମିଟର ଗଭୀରରେ ଏହାର ଉତ୍ପତ୍ତି ହୋଇଥିଲା ।

ଅନ୍ୟପକ୍ଷରେ ଆମେରିକାନ୍ ଜିଓଲୋଜିକାଲ୍ ସର୍ଭେ ଭୂକମ୍ପର ତୀବ୍ରତା ୫.୮ ବୋଲି ଆକଳନ କରିଛି । ଭୂକମ୍ପର ଝଟକା ଟୋକିଓ ଅଞ୍ଚଳରେ ମଧ୍ୟ ସ୍ପଷ୍ଟ ଭାବେ ଅନୁଭବ ହୋଇଥିଲା । ଟୋକିଓର ମିନାଟୋ ଅଞ୍ଚଳରେ ସିସ୍ମିକ୍ ଇଣ୍ଟେନସିଟି ୪ ରେକର୍ଡ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ଅଧିକାରୀଙ୍କ ଅନୁସାରେ, ସୈତାମାରେ ୯ ଜଣ, କାନାଗାୱାରେ ୯ ଜଣ, ଚିବାରେ ୪ ଜଣ ଏବଂ ଇବାରାକିରେ ଜଣେ ଆହତ ହୋଇଛନ୍ତି । ଅନେକ ଲୋକ ସେତେବେଳେ ଶୋଇଥିବାରୁ ହଠାତ୍ ଝଟକାରେ ଭୟଭୀତ ହୋଇ ଉଠିବା ସମୟରେ ପଡ଼ିଯାଇଥିଲେ କିମ୍ବା ଆସବାବପତ୍ର ଓ ଦ୍ୱାରରେ ଧକ୍କା ଖାଇ ଆହତ ହୋଇଥିଲେ । ଏହି ଭୂକମ୍ପରେ ଏଯାଏଁ ବଡ଼ ଧରଣର କ୍ଷୟକ୍ଷତିର ଖବର ମିଳିନାହିଁ । ତେବେ ଝଟକା ପରେ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଦେଖାଦେଇଥିଲା । କିଛି ସ୍ଥାନରେ ଟ୍ରେନ୍ ସେବା ବିଳମ୍ବିତ ହୋଇଥିବା ବେଳେ ଟୋକିଓର ଏକ ଅଞ୍ଚଳରେ ଭୂଗର୍ଭ ଜଳ ପାଇପ୍ ମଧ୍ୟ ଫାଟିଥିଲା, ଯାହାକୁ ଶୀଘ୍ର ମରାମତି କରାଯାଇଥିଲ।

ବଡ଼ ଆଶ୍ୱସ୍ତିର ବିଷୟ ହେଉଛି, ଏହି ଭୂକମ୍ପ ପରେ କୌଣସି ସୁନାମି ବିପଦ ନଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ତଥାପି ଆଫ୍ଟର୍ଶକ୍ ଆଶଙ୍କାକୁ ନଜରରେ ରଖି କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଜାପାନ ପୃଥିବୀର ଭୂକମ୍ପପ୍ରବଣ ଅଞ୍ଚଳମାନଙ୍କ ମଧ୍ୟରୁ ଅନ୍ୟତମ । ତେଣୁ ଲଗାତାର ଭୂକମ୍ପୀୟ ଗତିବିଧି ମଧ୍ୟରେ ଏହି ନୂଆ ଝଟକା ପରେ ଆଗାମୀ କିଛି ସମୟ ପାଇଁ ସତର୍କତା ଜାରି ରହିଛି ।

Leave a comment