ସାଧାରଣ ମିଠାକୁ ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମରେ ଆମାଜନରେ ବିକ୍ରି, ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି CCPA

ସାଧାରଣ ମିଠାକୁ ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମରେ ବିକ୍ରି କରିବା ଏବଂ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ଅଭିଯୋଗରେ ଇ-କମର୍ସ ସଂସ୍ଥା ଆମାଜନ୍ (Amazon) ଉପରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଅଗଷ୍ଟ ୪, ୨୦୨୬ରେ ଦିଆଯାଇଥିବା ଏହି ନିର୍ଦ୍ଦେଶାନୁସାରେ, ଆମାଜନ୍ ନିଜ ପ୍ଲାଟଫର୍ମରେ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ର କୌଣସି ଆନୁଷ୍ଠାନିକ ଅନୁମୋଦନ ନଥାଇ ସାଧାରଣ ମିଠାକୁ ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ଭାବରେ ବିକ୍ରି କରିବାକୁ ଅନୁମତି ଦେଇଥିଲା, ଯାହା ‘ଇ-କମର୍ସ ନିୟମାବଳୀ, ୨୦୨୦’ର ସ୍ପଷ୍ଟ ଉଲ୍ଲଂଘନ।

ପ୍ରାଧିକରଣ ଦର୍ଶାଇଛନ୍ତି ଯେ ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ଶବ୍ଦଟି ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ଅତ୍ୟନ୍ତ ପବିତ୍ର ଓ ଆସ୍ଥାର ବିଷୟ। ବିନା ଅନୁମତିରେ ସାଧାରଣ ମିଠାକୁ ପ୍ରସାଦ ଆଖ୍ୟା ଦେଇ ବ୍ୟବସାୟ କରିବା ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ସହ କୋଟି କୋଟି ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି। ‘କନ୍‌ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ’ (CAIT) ଜାନୁଆରୀ ୧୯, ୨୦୨୪ରେ ଆମାଜନ୍ ବିରୋଧରେ ଏହି ଅଭିଯୋଗ ଆଣିଥିଲା। ଆମାଜନ୍‌ରେ ୨୯୯ ଟଙ୍କାରୁ ୩୮୫ ଟଙ୍କା ମଧ୍ୟରେ ଏହି ମିଠାଗୁଡ଼ିକ ପ୍ରସାଦ ନାମରେ ବିକ୍ରି ହେଉଥିଲା।ଜରିମାନା ସହ CCPA ଆମାଜନ୍‌କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମ୍ପୃକ୍ତ ଧାର୍ମିକ ଅନୁଷ୍ଠାନର ବୈଧ ଅନୁମତି ପତ୍ର ବିନା କୌଣସି ବି ସାମଗ୍ରୀକୁ ‘ପ୍ରସାଦ’, ‘ମହାପ୍ରସାଦ’, କିମ୍ବା ‘ଭୋଗ’ ନାମରେ ନିଜ ପ୍ଲାଟଫର୍ମରେ ବିକ୍ରି କିମ୍ବା ପ୍ରଚାର କରାଯାଇପାରିବ ନାହିଁ। ଏହା ପରେ ଆମାଜନ୍ ଶ୍ରୀ ରାମ ଜନ୍ମଭୂମି ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ତିରୁମାଲା ତିରୁପତି ଦେବସ୍ଥାନମ୍, ଶ୍ରୀ କାଶୀ ବିଶ୍ୱନାଥ, ଶ୍ରୀ କେଦାରନାଥ, ଶ୍ରୀ ବଦ୍ରୀନାଥ, ଏବଂ ଶ୍ରୀ ମହାକାଳେଶ୍ୱର ସମେତ ୧୦ଟି ପ୍ରମୁଖ ଧାର୍ମିକ ପୀଠ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରି ପ୍ରାଧିକରଣ ନିକଟରେ ଦାଖଲ କରିଛି।

Leave a comment