ମହାନ ଫୁଟବଲରଙ୍କ କ୍ରିଷ୍ଟିଆନୋ ରୋନାଲ୍ଡୋ ଙ୍କ କ୍ୟାରିଅର ଖୁବ୍ ଶୀଘ୍ର ଅନ୍ତ ହେବାକୁ ଯାଉଛି,ଏନେଇ ଦେଲେ ସଙ୍କେତ
ଖୁବ୍ ଶୀଘ୍ର ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ । ପର୍ତ୍ତୁଗାଲର ଏହି ମହାନ ଫୁଟବଲରଙ୍କ କ୍ୟାରିଅର ଖୁବ୍ ଶୀଘ୍ର ଅନ୍ତ ହେବାକୁ ଯାଉଛି । ଏନେଇ ସଙ୍କେତ ଦେଇଛନ୍ତି ରୋନାଲ୍ଡୋ । ତାଙ୍କୁ ଷ୍ଟାଡିୟମରେ ଆଉ ମାତ୍ର ଅଳ୍ପ ଦିନ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି । ୨୦୨୬-୨୭ପରେ ସେ ଫୁଟବଲକୁ ଅଲବିଦା କରିବା ନେଇ କହିଛନ୍ତି ।
୪୧ ବର୍ଷୀୟ ରୋନାଲ୍ଡୋ ଗତ ଦୁଇ ଦଶନ୍ଧି ଧରି ପୁଟବଲକୁ ଅନେକ କିଛି ଦେଇଛନ୍ତି । ଫୁଟବଲ ମଧ୍ୟ ତାଙ୍କୁ ବହୁତ କିଛି ଦେଇଛି । ବିଶ୍ୱର ଜଣେ ଟପ୍ ଖେଳାଳି ଭାବେ ସେ ନିଜକୁ ପ୍ରମାଣିତ କରିଛନ୍ତି । ତେବେ ୨୦୨୭ରେ ଅଲ୍ ନାସର ସହ ତାଙ୍କର ଚୁକ୍ତି ଶେଷ ହେବ । ତେଣୁ ଏହା ତାଙ୍କର ଶେଷ କ୍ଲବ୍ ବୋଲି ଫ୍ୟାନ୍ସ କହୁଛନ୍ତି ।
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ୨୦୨୭ ବୋଧହୁଏ ତାଙ୍କ ଫୁଟବଲ କ୍ୟାରିଅର ଶେଷ ବର୍ଷ ହେବ । ସେ ନିଜର ଏକ ସ୍ୱତନ୍ତ୍ର ଛାପ ଫୁଟବଲରେ ଛାଡିଯିବେ । ପୂର୍ବରୁ ମଧ୍ୟ ସେ ଅନେକ ଥର ଅବସର ବାବଦରେ କହିଛନ୍ତି । ଗତ ନଭେମ୍ବରରେ ସେ ଆଉ ବର୍ଷେ କି ଦୁଇବର୍ଷ ଖେଳିବେ ବୋଲି କହିଥିଲେ । ୨୦୨୬ ଫିଫା ବିଶ୍ୱକପ୍ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ବୋଲି ସେ ଘୋଷଣା କରିଥିଲେ । ଏହାସହ ପରିବାରକୁ ଅଧିକ ସମୟ ଦେବେ ବୋଲି ପ୍ରକାଶ କରିଥିଲେ ।
ପୂର୍ବରୁ ସେ କହିଥିଲେ ଯେ, ଅବସର ପରେ ଭବିଷ୍ୟତ ପାଇଁ ସେ ଯୋଜନା ବନାଇଛନ୍ତି । ନିଜକୁ ବ୍ୟସ୍ତ ରଖିବା ପାଇଁ ବହୁତ କିଛି ଅଛି । ବୁଲାବୁଲି କରିବେ, ପରିବାର ସହ ସମୟ କାଟିବେ ଏବଂ ଯାହା ରୋଜଗାର କରିଛନ୍ତି ତାକୁ ନେଇ ମଜା କରିବେ ବୋଲି ରୋନାଲ୍ଡୋ କହିଥିଲେ ।ଗତ ବିଶ୍ୱକପରେ ତାଙ୍କ ଦଳ ପର୍ତ୍ତୁଗାଲ ୧୬ ରାଉଣ୍ଡରେ ସ୍ପେନଠୁ ପରାସ୍ତ ହୋଇ ବିଦାୟ ନେଇଥିଲା । ସେ ଟୁର୍ଣ୍ଣାମେଣ୍ଟରେ ତିନୋଟି ଗୋଲ୍ କରିଥିଲେ । ଏହାସହ ୬ଟି ବିଶ୍ୱକପ୍ ଖେଳି ମୋଟ୍ ୧୧ଟି ଗୋଲ୍ କରିବାର ରେକର୍ଡ ପ୍ରତିଷ୍ଠା କରିଥିଲେ ।