ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଘୋଷଣା କଲେ ନିଜର ନୂଆ ଟିମ୍ ,ବିନୋଦ ତାୱଡେ ଏବଂ ସ୍ମୃତି ଇରାନୀଙ୍କୁ ‘ରାଷ୍ଟ୍ରୀୟ ମହାସଚିବ’ ଦାୟିତ୍ୱ

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି । ନୂଆ ରାଷ୍ଟ୍ରୀୟ ଟିମରେ ବହୁ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ପାର୍ଟି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ ଏବଂ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ଘୋଷଣା କରିଛି ।

ବିଜେପିର ନୂଆ ଟିମରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜଣେ ରାଷ୍ଟ୍ରୀୟ ମହାସଚିବ (ସଂଗଠନ), ଦୁଇ ଜଣ ରାଷ୍ଟ୍ରୀୟ ଉପ-ମହାସଚିବ (ସଂଗଠନ), ଆଠ ଜଣ ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତ କରାଯାଇଛି । ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂହ ରାୱତ, ରାମ ମାଧବ, ବୈଜୟନ୍ତ ପଣ୍ଡା, ଡି.ପୁରନ୍ଦେଶ୍ୱରୀ, ରେଖା ବର୍ମା, ବର୍ଷାବେନ୍ ନରେନ୍ଦ୍ରଭାଇ ଦୋଶୀ, ଭାରତୀ ପ୍ରବୀଣ ପୱାର, ମନପ୍ରୀତ ସିଂହ ବାଦଲ, ଲାଲ୍ ସିଂହ ଆର୍ଯ୍ୟ, ଏମ୍.ନାଗରାଜା, ତାରିକ୍ ମନସୁର ଏବଂ ମଧୁଚନ୍ଦ୍ର କରଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ପାର୍ଟିର ନୂଆ ଟିମରେ ବିନୋଦ ତାୱଡେ ଏବଂ ସ୍ମୃତି ଇରାନୀଙ୍କୁ ‘ରାଷ୍ଟ୍ରୀୟ ମହାସଚିବ’ ଦାୟିତ୍ୱ ଦିଆଯାଇଛି । ଉଭୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ବିଏଲ୍. ସନ୍ତୋଷଙ୍କୁ ରାଷ୍ଟ୍ରୀୟ ମହାସଚିବ (ସଂଗଠନ) ଭାବେ ଦାୟିତ୍ୱ ମିଳିଛି । ଶିବପ୍ରକାଶ ଓ ସୌଦାନ ସିଂହଙ୍କୁ ରାଷ୍ଟ୍ରୀୟ ଉପ-ମହାସଚିବ (ସଂଗଠନ) ଦାୟିତ୍ୱ ଦିଆଯାଇଛି । ସେହିପରି ବିନୋଦ ତାୱଡେ, ସୁନିଲ ବଂଶଲ, ବିପ୍ଲବ କୁମାର ଦେବ, ସ୍ମୃତି ଇରାନୀ, ଡ.ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ୱିବେଦୀ ଓ ସଞ୍ଜୟ ଭାଟିଆଙ୍କୁ ରାଷ୍ଟ୍ରୀୟ ମହାସଚିବ କରାଯାଇଛି । ଅନ୍ୟପଟେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

Leave a comment