ଜନ୍ମଦିନ କେକ୍ ରେ ଝିଟିପିଟି,୭ ଶିଶୁ ସମେତ ୧୧ ଲୋକ ଅସୁସ୍ଥ
ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ମଲା ଝିଟିପିଟି ପଡ଼ିଥିବା ଏକ ଜନ୍ମଦିନ କେକ୍ ଖାଇବା ପରେ ୭ ଜଣ ଶିଶୁଙ୍କ ସମେତ ୧୧ ଜଣ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସାତ ଜଣ ଅସୁସ୍ଥ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଇଣ୍ଟେନସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଭର୍ତ୍ତି କରାଯାଇଛି। ପରେ ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍ଡିଏ) ଚଢାଉ କରି କେକ୍ କିଣାଯାଇଥିବା ବେକରୀର ଲାଇସେନ୍ସ ବାତିଲ କରିଛି।
ପୁଲିସ ସୂଚନା ଅନୁଯାୟୀ, ନାଲସୋପରା (ପୂର୍ବ)ର ଟାକିପାଡା ଅଞ୍ଚଳର ନୀଳକଣ୍ଠେଶ୍ୱରରେ ଶନିବାର ସନ୍ଧ୍ୟାରେ ଜଣେ ୨୫ ବର୍ଷୀୟା ମହିଳାଙ୍କ ଜନ୍ମଦିନ ପାଳନ ପାଇଁ ସ୍ଥାନୀୟ ଲୋକମାନେ ଏକତ୍ର ହୋଇଥିଲେ। ସ୍ଥାନୀୟ ଲୋକମାନେ ପୁଲିସକୁ କହିଛନ୍ତି ଯେ, ସନ୍ଧ୍ୟା ୬ଟା ସମୟରେ କିଛି ପିଲା ମହିଳାଙ୍କ ଜନ୍ମଦିନ ପାଳନ କରିବାକୁ ଏକ କେକ୍ ଧରି ଆସିଥିଲେ। କେକ୍ ଖାଇବା ପରେ ପିଲାମାନେ ଛାତି ଜଳୁଥିବାର ଅଭିଯୋଗ କରିଥିଲେ।
ସେମାନଙ୍କୁ ବାନ୍ତି ହେବା ପରେ ନିକଟସ୍ଥ ମ୍ୟୁନିସିପାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପିଲାମାନେ କେକ୍ରେ ମଲା ଝିଟିପିଟି ପଡ଼ିଥିବା ଅଭିଯୋଗ କରିଥିଲେ। ତୁଲିଞ୍ଜ ପୁଲିସର ଏକ ଟିମ୍ ହସ୍ପିଟାଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ପୁଲିସ କେକ୍ ନମୁନା ପରୀକ୍ଷା ପାଇଁ ପଠାଇ ଖାଦ୍ୟ ବିଷାକ୍ତ ହେବାର ପ୍ରକୃତ କାରଣର ତଦନ୍ତ କରୁଛି। ଭାସାଇ-ବିରାର୍ ଅଞ୍ଚଳର ମେୟର ଅଜୀଭ୍ ପାଟିଲ କହିଛନ୍ତି, ଆମେ ଏଫ୍ଡିଏକୁ ଘଟଣା ସମ୍ପର୍କରେ ଅବଗତ କରିଛୁ। କେକ୍ କିଣାଯାଇଥିବା ବେକରୀର ଚଢ଼ାଉ କରିବାକୁ କୁହାଯାଇଛି।