୨୦ ତାରିଖବେଳକୁ ପୁଣି ଗୋଟିଏ ଲଘୁଚାପ,ଅଜାଡ଼ିବ ବର୍ଷା
ଏତେବର୍ଷା କେହି ଆକଳନ କରିନଥିଲେ। ଭୟାବହ ପରିସ୍ଥିତି ଉତ୍ତର ଓଡ଼ିଶାରେ । ଦିନକର ବର୍ଷାରେ ମୟୂରଭଞ୍ଜରେ ମାଡ଼ି ଆସିଛି ବନ୍ୟା। ବାରିପଦା ସହର ଉବୁଟୁବୁ । ଜିଲ୍ଲାର ୨୨ ବ୍ଲକରେ ପାଣି ମାଡ଼ିଯାଇଛି। ବାଲେଶ୍ଵର ବି ଜଳାର୍ଣ୍ଣବ। ରାଉରକେଲା ସହରର ପଶିଯାଇଛି ପାଣି। କେନ୍ଦୁଝର ଆନନ୍ଦପୁରର ଅନେକ ଅଞ୍ଚଳ ଜଳବନ୍ଦୀ। ଜାତୀୟ ରାଜପଥ ଉପରେ ପାଣି ଚାଲିଛି।
ବୈତରଣୀ,ବୁଢ଼ାବଳଙ୍ଗ,ଜଳକା,ସୁବର୍ଣ୍ଣରେଖା,ସାଳନ୍ଦୀ ଉଛୁଳିଛି। ଆନନ୍ଦପୁରରେ ବୈତରଣୀ ବିପଦ ସଙ୍କେତ ଉପରେ। ଜଳସ୍ତର ୩୯.୨୭ମିଟର ଛୁଇଁଛି। ଆଖୁଆପଦାରେ ୧୭.୫୪ ମିଟରରେ ପ୍ରବାହିତ ହେଉଛି ପାଣି। ଖୁକ୍ରବାର ରାତି ସୁଦ୍ଧା ଏଠାରେ ବି ବିପଦ ସଙ୍କେତ ପାର୍ କରିଯାଇପାରେ। ଏନଏଚ-୫ ଗୋବିନ୍ଦପୁ ରଠାରେ ବୁଢ଼ାବଳଙ୍ଗ ୭.୬୦ ମିଟରରେ ପ୍ରବାହିତ ହେଉଛି। ରାତିରେ ବିପଦ ସଙ୍କେତ ଟପିପାରେ। ଜଳକା ବି ଫୁଲିବା ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ପାଣି ସୁ ସୁ ହୋଇ ମାଡ଼ି ଆସୁଛି।
ବନ୍ୟା ପରେ ବନ୍ୟା । ଚିନ୍ତା ଏଇଠି ସରିଯାଇନି। ଏବେ ଉତ୍ତର ଓଡ଼ିଶାରେ ତୃତୀୟ ଦଫା ବନ୍ୟା ସ୍ଥିତି ଉପୁଜିଛି। ଏବେ ଗୋଟିଏ ବନ୍ୟା ସ୍ଥିତିରେ ଓଡ଼ିଶା ଯୁଝୁ ଥିବାବେଳେ ଆଗକୁ ପୁଣି ଏକ ବନ୍ୟା ଆଶଙ୍କା ଡରାଇଲାଣି। ବିଶେଷଜ୍ଞଙ୍କ ଆକଳନ- ୨୦ ତାରିଖବେଳକୁ ପୁଣି ଗୋଟିଏ ଲଘୁଚାପ ଆସିପରେ। ଆହୁରି ବଡ଼ ଅଧିକ ବର୍ଷା ଅଜାଡ଼ିବ । ଆଗାମୀ ଲଘୁଚାପ ବର୍ଷା ପ୍ରଭାବରେ ମହାନଦୀ ଫୁଲିବା ସହ ଉପକୂଳ ଓଡ଼ିଶା ପାଇଁ ବନ୍ୟା ସ୍ଥିତି ଅଣିପାରେ।
ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷିଛି। ବାରିପଦାରେ ୨୧୫.୨ ମିଲିମିଟର,ବାଲେଶ୍ବରରେ ୧୬୯.୪ ମିମି ଓ ରାଉରକେଲାରେ ୯୬.୮ ମିମି ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶିମିଳିପାଳ ପର୍ବତମାଳାରେ ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଛି। ବାଙ୍ଗିରିପୋଷି ସମେତ ବିଭିନ୍ନ ସ୍ଥାନରେ ବୁଢ଼ାବଳଙ୍ଗ କରାଳ ରୂପ ଦେଖାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ମଧୁବନ ବଗିଚା ସାହି ସମେତ ତଳି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବୁଢ଼ାବଳଙ୍ଗ ନଦୀ ସମେତ ଜିଲ୍ଲାର ଛୋଟ ବଡ଼ ପ୍ରାୟ ସବୁ ନଦୀ ନାଳରେ ବନ୍ୟା ସ୍ଥିତି । ୨୨ଟି ବ୍ଳକର ୨୮ଟି ପଞ୍ଚାୟତ ଓ ବାରିପଦା ପୌରପାଳିକାର ୬ଟି ୱାର୍ଡବାସୀ ବନ୍ୟାରେ ପ୍ରଭାବିତ। ୧୭୩୫ ଜଣ ବର୍ଷାରେ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷାରେ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି।
ବାଲେଶ୍ବର ଜିଲ୍ଲା ସହିତ ମୟୂରଭଞ୍ଜ,ପଡ଼ୋଶୀ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା,ବୁଢ଼ାବଳଙ୍ଗ,ଜଳକା ନଦୀର ଜଳସ୍ତର ବଢ଼ିଛି । ବସ୍ତାର ବାହାର୍ଭା ଚଗଣରେ ୪ ଫୁଟ୍ ପାଣି ଚାଲିଛି। ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ବାହାନଗା ବ୍ଲକରେ ପାଖାପାଖି ୨୦୦୦ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ଵର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ସହଦେବଖୁଣ୍ଟା ରାସ୍ତା ନୂଆସାହି ଛକରେ ପାଣି ଜମିବା ଯୋଗୁ ରେମୁଣାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ପ୍ରବଳ ବର୍ଷାରେ ରାଉରକେଲାର ବିଭିନ୍ନ ସ୍ଥାନରେ ପାଣି ଜମିଥିଲା। ରିଙ୍ଗରୋଡ୍ ଠାରୁ ମେନ୍ ରୋଡ୍,ବିମାନବନ୍ଦର ରୋଡ୍ ଓ ବିଭିନ୍ନ ସେକ୍ଟର ଅଞ୍ଚଳ ରାସ୍ତାରେ ପାଣି ଲହଡ଼ି ମାରିଥିଲା। ରାଉରକେଲା ରେଳ ଷ୍ଟେସନ ମଧୁସୂଦନ ଛକରୁ ଡେଲି ମାର୍କେଟ୍ ଯାଇଥିବା ସହରର ମୁଖ୍ୟ ରାସ୍ତା ସହିତ ଅନେକ ଅମ୍ପୂର୍ଣ ବୁଡ଼ି ଯାଇଥିଲା।