ଆସନ୍ତାକାଲି ଭାରତ – ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଗଲ୍ରେ ଖେଳାଯିବ
ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳ ଶନିବାରଠୁ ଘରୋଇ ଦଳ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଗଲ୍ରେ ଖେଳାଯିବ। ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ୍ରେ ଭାରତ ପଞ୍ଚମ ଓ ଶ୍ରୀଲଙ୍କା ଷଷ୍ଠ ସ୍ଥାନରେ ରହିଛନ୍ତି। ତେଣୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ଶୁବମନ ଗିଲ୍ଙ୍କ ନେତୃତ୍ବାଧୀନ ଭାରତ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରେ ରହିବା ପାଇଁ ଏହି ଶୃଙ୍ଖଲା ଗୁରୁତ୍ବପୂର୍ଣ୍ଣ।ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲି, ରୋହିତ ଶର୍ମା, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଅବସର ପରେ ଭାରତୀୟ ବ୍ୟାଟିଂ ଲାଇନଅପ୍ରେ ବଡ଼ ପରିବର୍ତ୍ତନ ହୋଇଛି। ଯଶପ୍ରୀତ ବୁମରା ଆହତ ଜନିତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡ଼ିଥିବାରୁ ମହମ୍ମଦ ସିରାଜଙ୍କ ନେତୃତ୍ବ ଯୁବ ବୋଲରଙ୍କ ଉପରେ ଦାୟିତ୍ୱ ରହିବ। ଶ୍ରୀଲଙ୍କାର ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟନ ରହିଛନ୍ତି। ସେ ପୂର୍ବରୁ ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ। ତେଣୁ ଭାରତୀୟ ଖେଳାଳିଙ୍କ ବିଷୟରେ ସେ ଭଲ ଭାବେ ଜାଣିଛନ୍ତି।ସେହିପରି ଘରୋଇ ମାଟିରେ ଶ୍ରୀଲଙ୍କା ଶକ୍ତିଶାଳୀ ଥିବାରୁ ଭାରତୀୟ ବ୍ୟାଟରଙ୍କ ପାଇଁ ସ୍ପିନ୍ ଅନୁକୂଳ ପିଚ୍ରେ ରନ୍ ସଂଗ୍ରହ କରିବା ଏକ ବଡ଼ ଆହ୍ବାନ ହେବ। ତଥାପି ବ୍ୟାଟିଂ ଦାୟିତ୍ବ ଗିଲ୍, କେଏଲ୍ ରାହୁଲ, ଯଶସ୍ୱୀ ଜୟସ୍ବାଲ ଓ ୱିକେଟକିପର ବ୍ୟାଟର ରିଷଭ ପନ୍ତଙ୍କ ଉପରେ ରହିବ। ଅଭିଜ୍ଞ ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବଙ୍କ ସହ ନୂଆମୁହଁ ମାନବ ସୂତାର, ସାରାଂଶ ଜୈନ, ଆକ୍ବିବ ନବି ଓ ଗୁରନୁର ବ୍ରାରଙ୍କୁ ନେଇ ଭାରତୀୟ ସ୍ପିନ୍ ବାହିନୀ ଦୃଢ଼ ରହିଛି।