ରିଲର ଯୁଗ’ରେ ରହୁଥିବା ଯୁବପିଢ଼ି ମନେ ରଖିବା ଉଚିତ ଯେ ସର୍ଟକଟ୍ ଆପଣଙ୍କର କ୍ଷତି କରିପାରେ – ଯୁବବର୍ଗଙ୍କୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବବର୍ଗଙ୍କୁ ଆତ୍ମଜୀବନୀ ପଢ଼ିବା ଏବଂ ଅନ୍ୟମାନଙ୍କ ସଂଘର୍ଷରୁ ଶିକ୍ଷା ନେବା ପାଇଁ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ ‘ରିଲର ଯୁଗ’ରେ ରହୁଥିବା ଯୁବପିଢ଼ି ମନେ ରଖିବା ଉଚିତ ଯେ ସର୍ଟକଟ୍ ଆପଣଙ୍କର କ୍ଷତି କରିପାରେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ Triumph of the Indian Republic: My Life, My Strugglesର ଉନ୍ମୋଚନ କାର୍ଯ୍ୟକ୍ରମରେ ପିଏମ୍ ମୋଦୀ ଯୁବପିଢ଼ିଙ୍କୁ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, କୋବିନ୍ଦଙ୍କ ଜୀବନ ଦର୍ଶାଉଛି ଯେ ଦୃଢ଼ ସଂକଳ୍ପ ଜଣେ ବ୍ୟକ୍ତିଙ୍କୁ କଷ୍ଟକର ପରିସ୍ଥିତିରୁ ବାହାରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପହଞ୍ଚିବାରେ କିପରି ସାହାଯ୍ୟ କରିପାରେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଦ ଛାଡ଼ିବା ପରେ ମଧ୍ୟ ସେ ବିଶ୍ରାମ ନେଇନାହାନ୍ତି । ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ ‘ଏକ ଦେଶ, ଏକ ନିର୍ବାଚନ’ ପଦକ୍ଷେପ ଉପରେ କାମ କରୁଛନ୍ତି, ଯାହା ଭାରତୀୟ ଗଣତନ୍ତ୍ରରେ ଏକ ନୂଆ ଅଧ୍ୟାୟ ଖୋଲିପାରେ । ପିଏମ୍ ମୋଦୀ କହିଛନ୍ତି ଯେ ଏହି ପ୍ରସଙ୍ଗ ଉପରେ ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରଚେଷ୍ଟା ଭାରତୀୟ ଗଣତନ୍ତ୍ରକୁ ମଜଭୁତ୍ କରିବାରେ ତାଙ୍କର ନିରନ୍ତର ଯୋଗଦାନର ଅଂଶ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ଆତ୍ମଜୀବନୀ ପଢ଼ିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଏହାଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ସମୟକୁ ସେହି ବ୍ୟକ୍ତିଙ୍କ ଜୀବନ ମାଧ୍ୟମରେ ବୁଝିବାର ସୁଯୋଗ ମିଳିଥାଏ ।

ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ- ‘ସର୍ଟକଟ୍ ୱିଲ୍ କଟ୍ ୟୁ ସର୍ଟ’

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ରିଲର ଯୁଗରେ, ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସରମାନେ ଆପଣଙ୍କୁ କେଉଁ ନା କେଉଁଆଡ଼େ ନେଇଯାଆନ୍ତି । କିନ୍ତୁ ଏହି ସମୟରେ ବି ରେଳ ଷ୍ଟେସନରେ ଲେଖାଯାଇଥିବା କଥା ମନେ ରଖନ୍ତୁ । ‘ସର୍ଟକଟ୍’ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ସରକାର ଏବଂ ଶାସକ ବିଜେପି ସୋସିଆଲ୍ ମିଡିଆରେ ‘ଜେନ-ଜି’ଙ୍କ ସହ ଯୋଡ଼ିହେବାର ପ୍ରଚେଷ୍ଟା ଜୋରଦାର କରିଥିବା ସମୟରେ ପିଏମ୍ ମୋଦୀଙ୍କ ଏହି ମନ୍ତବ୍ୟ ଆସିଛି ।

କୋବିନ୍ଦଙ୍କ ଆତ୍ମଜୀବନୀ ଉପରେ ପିଏମ୍ ମୋଦୀ

ସମ୍ପ୍ରତି କିଛି ସପ୍ତାହ ମଧ୍ୟରେ ପିଏମ୍ ମୋଦୀ ନିଜେ ଯୁବକମାନଙ୍କୁ ସମ୍ବୋଧିତ କରି କେତେକ ରିଲ୍ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋବିନ୍ଦଙ୍କ ଆତ୍ମଜୀବନୀ ‘ଭାରତୀୟ ଗଣତନ୍ତ୍ରର ଐତିହ୍ୟ’ ପାଲଟିବ ଏବଂ ନୂଆ ପିଢ଼ିକୁ ଏଥିରୁ ଅନେକ କିଛି ଶିଖିବାକୁ ମିଳିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତରେ ଆମକୁ ଏମିତି ଅନେକ ଯୁବକଙ୍କ ଆବଶ୍ୟକତା ଅଛି ଯେଉଁମାନେ କୋବିନ୍ଦ ଜୀଙ୍କ ପରି ହେବେ । ଏପରି ଲୋକ ଯେଉଁମାନେ ପରିସ୍ଥିତି ନିକଟରେ ହାରି ନ ଯାଇ, ପ୍ରତ୍ୟେକ ଆହ୍ୱାନକୁ ଅତିକ୍ରମ କରିବାର ଦୃଢ଼ ସଂକଳ୍ପ ରଖିବେ । ସେମାନେ ଆତ୍ମନିର୍ଭର ଭାରତର ବାଟ ତିଆରି କରିବେ ଏବଂ ଏହି ଆତ୍ମଜୀବନୀ ଯୁବକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ।

ନିଜ ସଂଘର୍ଷର କଥା କହିଲେ ପୂର୍ବତନ ରାଷ୍ଟ୍ରପତି

ପୂର୍ବତନ ରାଷ୍ଟ୍ରପତି ମନେ ପକାଇଥିଲେ ଯେ କିପରି ତାଙ୍କ ଘର ଚାଳରୁ ବର୍ଷା ପାଣି ଗଳୁଥିଲା ଏବଂ ତାଙ୍କ ପରିବାର ବର୍ଷା ଛାଡ଼ିବାକୁ ଅପେକ୍ଷା କରୁଥିଲେ । କୋବିନ୍ଦ କହିଛନ୍ତି ଯେ ସରକାରୀ ଆବାସ ଯୋଜନା ଅଧୀନରେ କୋଟି କୋଟି ଗରିବ ପରିବାରକୁ ମୁଣ୍ଡ ଗୁଞ୍ଜିବାକୁ ଛାତ ମିଳିଛି ଏବଂ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ମିଳିଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ‘ଧାଡ଼ିରେ ଛିଡ଼ା ହୋଇଥିବା ଶେଷ ବ୍ୟକ୍ତି’ର ଉତ୍ଥାନ ସଂକଳ୍ପକୁ ମନେ ପକାଇ କୋବିନ୍ଦ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଆଲୋଚନା, ତାଙ୍କର ଦୃଷ୍ଟିକୋଣ ଏବଂ ସାଧାରଣ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଡ଼ିହେବାର ତାଙ୍କ ଦକ୍ଷତା ମଧ୍ୟ ତାଙ୍କୁ ବହୁତ ପ୍ରଭାବିତ କରିଛି ।

Leave a comment