ଶଙ୍ଖ ଭବନରେ ବିଶ୍ବ ଆଦିବାସୀ ଦିବସ ପାଳିତ

ଶଙ୍ଖ ଭବନରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟରେ ଜନଜାତି ବର୍ଗର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ଉଚ୍ଚ ଶିକ୍ଷା ଠାରୁ ଆରମ୍ଭ କରି ସେମାନଙ୍କ ଜୀବନ ଜୀବିକା ଆଦି ବିଭିନ୍ନ କ୍ଷେତ୍ରର ବିକାଶ କରି ସେମାନଙ୍କୁ ସଶକ୍ତ କରିବାକୁ ପଦକ୍ଷେପ ନେଇଥିଲା । ବିଜୁ ଜନତା ଦଳକୁ ଜନଜାତି ଭାଇ ଭଉଣୀ ମାନଙ୍କର ଶ୍ରେଷ୍ଠ ବନ୍ଧୁ ଭାବରେ ଅବିହିତ କରି ନବୀନ ପଟ୍ଟନାୟକ କହିଥିଲେ ଯେ, ତାଙ୍କ ସରକାର ସମୟରେ ପଞ୍ଚାୟତକୁ ଜଙ୍ଗଲ ଜାତ ଦ୍ରବ୍ୟର ସଂଗ୍ରହ ଅଧିକାର, ହଜାର ହଜାର ହଷ୍ଚେଲ, ଉଚ୍ଚ ଶିକ୍ଷା ପାଇଁ ଅନ୍ଵେଷା କାର୍ଯ୍ୟକ୍ରମ, ଜଙ୍ଗଲ ଜମି ଅଧିକାର ଆଦି ଜନଜାତି ଭାଇ ଭଉଣୀଙ୍କୁ ବିକାଶ ସହ ଯୋଡି ପାରିଥିଲା ।ନବୀନ ପଟ୍ଟନାୟକ କହିଥିଲେ ଯେ, ଆଦିବାସୀ ଭାଇ ଭଉଣୀ ମାନଙ୍କ ଅଧିକାର ଓ ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସବୁବେଳ ସେମାନଙ୍କ ସହ ଦୃଢ଼ ଭାବରେ ରହି ଆସିଛି। ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ବିକାଶ ପରିଷଦ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ଆଦିବାସୀ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଏହା ଥିଲା ଏକ ଅନନ୍ୟ ପଦକ୍ଷେପ । ଜନଜାତି ଭାଇ ଭଉଣୀ ମାନଙ୍କୁ ସଶକ୍ତ କରି ସମ୍ମାନର ସହ ସେମାନଙ୍କ ନିଜ ମାଟିରେ ବାସ କରିବାର ସୁଯୋଗ ସୃଷ୍ଟି କରିବା ଥିଲା ବିଜେଡି ସରକାରର ନୀତି।

ବିଜେଡି ସରକାର ସମୟରେ ୧୬୯ ଜନଜାତି ଗୋଷ୍ଠୀକୁ ST ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ଶ୍ରୀନବୀନ ପଟ୍ଟନାୟକ ଉଲ୍ଲେଖ କରିବା ସହ ଏ ଦାବି ହାସଲ ପାଇଁ ଉଦ୍ୟମ ଜାରି ରହିବ ବୋଲି ଘୋଷଣା କରିଥିଲେ । ଜନଜାତି ଭାଇ ଭଉଣୀ ମାନଙ୍କ ସଶକ୍ତିକରଣ କେବଳ ଏକ ପ୍ରତିଶ୍ରୁତି ନ ଥିଲା ବିଜେଡି ସରକାରର ସବୁ ଜନଜାତି ବିକାଶ କାର୍ଯ୍ୟକ୍ରମର ଏହା ଥିଲା କେନ୍ଦ୍ରବିନ୍ଦୁ ।ଜନଜାତି ଭାଇ ଭଉଣୀ ମାନଙ୍କ ଜ୍ଞାନକୁ ସମ୍ମାନ ଦେବାସହ ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ନିଷ୍ଠାପର ଭାବରେ କାମ କରିବା ପାଇଁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ନେତୃଗଣ ଓ ଜନଜାତି ବର୍ଗର ବନ୍ଧୁମାନେ ଉପସ୍ଥିତ ଥିଲେ ।

Leave a comment