ଆଜି ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଟ୍ରେନ ଯାତ୍ରା , ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତରେ ଆଜି ଦ୍ୱିତୀୟ ଦିନ
ଆଜି ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଟ୍ରେନ ଯାତ୍ରା । ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତରେ ଆଜି ଦ୍ୱିତୀୟ ଦିନ । ବ୍ରହ୍ମପୁର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୯ଟାରେ ଭୁବନେଶ୍ବର ରେଳ ଷ୍ଟେସନରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ । ୧୦ଟି କୋଚ ବିଶିଷ୍ଟ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିବେ ମହାମହିମ । ସୁରକ୍ଷାରେ ୪୫ ପ୍ଲାଟୁନ ଫୋର୍ସ ରହିବେ । ରାଷ୍ଟ୍ରପତିଙ୍କ ରେଳଯାତ୍ରାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ, ଏସ୍ ପିଜି, ଓଡ଼ିଶା ପୋଲିସ, ରେଳ ସୁରକ୍ଷା ବାହିନୀ (RPF), ଜିଆର୍ ପି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ରେଳ ଲାଇନ, ଷ୍ଟେସନ, ପ୍ଲାଟଫର୍ମ, ବ୍ରିଜ୍, କଲଭର୍ଟ ଏବଂ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛନ୍ତି । ଯାତ୍ରା ପୂର୍ବରୁ ରେଳ ଟ୍ରାକ୍, ସିଗ୍ନାଲ ବ୍ୟବସ୍ଥା, ଓଭରହେଡ୍ ବିଦ୍ୟୁତ ଲାଇନ, ବ୍ରିଜ୍ ଓ କଲଭର୍ଟର ସ୍ୱତନ୍ତ୍ର ଯାଞ୍ଚ କରାଯାଇଛି । ବୋମା ନିଷ୍କ୍ରିୟକରଣ ଦଳ ଏବଂ ସ୍ନିଫର ଡଗ୍ ସ୍କ୍ୱାଡ୍ ଦ୍ୱାରା ଷ୍ଟେସନ ଓ ରେଳପଥରେ ଆଣ୍ଟି-ସାବୋଟାଜ୍ ଯାଞ୍ଚ ମଧ୍ୟ କରାଯାଇଛି । ସମ୍ଭାବ୍ୟ ଜରୁରୀ ପରିସ୍ଥିତିକୁ ମୁକାବିଲା ପାଇଁ ରେଳପଥର ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ, ଡାକ୍ତରୀ ଦଳ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ କୁ ପ୍ରସ୍ତୁତ ରଖାଯାଇଛି ।