ପପୁ ଯାଦବଙ୍କୁ ଉପରକୁ ଚପଲ ଫିଙ୍ଗିଲେ ଜନୈକ ଯୁବକ,କାବୁ କଲେ ପପୁ

ପୂର୍ଣ୍ଣିୟାରୁ ସ୍ୱାଧୀନ ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରବିବାର ସାମ୍ବାଦିକ ସମ୍ମିଳନୀ କାଳରେ ଅଘଟଣ ଘଟିଛି। ସାମ୍ବାଦିକ ସମ୍ମିଳନୀରେ ପପୁ ଯାଦବ ରାମ ମନ୍ଦିର ଦାନ ଚୋରିକୁ ନେଇ ରୁଜୁ ଏତଲା ଓ ତାଙ୍କୁ ମିଳୁଥିବା ଧମକ ନେଇ କହୁଥିଲେ। ଏହି ସମୟରେ ଜନୈକ ଯୁବକ ଅଚାନକ ନାରାବାଜୀ କରିବା ସହ ତାଙ୍କ ଉପରକୁ ଚପଲ ଫିଙ୍ଗିଛି। ପପୁ ଯାଦବ ନିଜେ ଉଠି ଯୁବକକୁ କାବୁ କରି ନେଇଛନ୍ତି। ପରେ ଯୁବକକୁ ପୋଲିସ ଧରି ନେଇଥିବା ବେଳେ ତା ନିକଟରୁ ଏକ ଛୁରି ଜବତ ହୋଇଥିବା ଜଣାପଡିଛି।

ପପୁ ଯାଦବଙ୍କ ଦିଲ୍ଲୀ ବାସଭବନରେ ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ଅଚାନକ ଯୁବକ ଜଣକ ସାମ୍ନାକୁ ଆସିଥିଲା ଓ ପପୁଙ୍କୁ ବିରୋଧ କରିଥିଲା। ଏହି ସମୟରେ ସେ ପପୁଙ୍କ ଉପରକୁ ଚପଲ ମଧ୍ୟ ଫିଙ୍ଗିଥିଲା। ଏଥି ପାଇଁ ସାମ୍ବାଦିକ ସମ୍ମିଳନୀରେ ହୋ ହଲ୍ଲା ଚାଲିଥିବା ବେଳେ ପପୁ ଯାଦବ ନିଜେ ଆଗକୁ ଯାଇ ଯୁବକକୁ କାବୁ କରି ନେଇଛନ୍ତି। ଘଟଣାସ୍ଥଳରେ ଥିବା ଲୋକେ ଯୁବକକୁ ଘେରି ଯାଇଥିଲେ। ଏ ନେଇ ପୋଲିସକୁ ସୂଚନା ଦିଆଯାଇଥିଲା ଓ ପୋଲିସ ପହଞ୍ଚି ଯୁବକକୁ ଥାନାକୁ ନେଇ ଯାଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ହଙ୍ଗାମାର ଠିକ ପୂର୍ବରୁ ସାଂସଦ ରାମ ମନ୍ଦିର ଦାନ ଚୋରି ପ୍ରସଙ୍ଗରେ ସେ କରିଥିବା ପ୍ରଦର୍ଶନ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀକୁ କହୁଥିଲେ। ସେ କହିଛନ୍ତି ଯେ ସଂସଦ ପରିସରରେ ସେ କରିଥିବା ନାଟକ ପରେ ତାଙ୍କୁ ଲଗାତାର ଗାଳି ଗୁଲଜ କରାଯାଉଛି ଓ ତାଙ୍କୁ ଜୀବନରେ ମାରିବାକୁ ଧମକ ମିଳୁଛି। ଏଣୁ ସେ ବ୍ୟକ୍ତିଗତ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ରାମମନ୍ଦିର ଦାନ ଚୋରିକୁ ନେଇ ସଂସଦ ପରିସରରେ ହୋଇଥିବା ବିରୋଧ ପ୍ରଦର୍ଶନରେ ପପୁ ଯାଦବ ପୂଜାରୀ ବେଶ ହୋଇଥିଲେ। ଏହି ବିରୋଧରେ କଂଗ୍ରେସ ଓ ସମାଜବାଦୀ ପାର୍ଟିର ନେତାମାନେ ମଧ୍ୟ ଯୋଗ ଦେଇଥିଲେ।

Leave a comment