ବିଶ୍ବକପ୍‌ ସୁଟିଂ: ମନୁଙ୍କୁ ହରାଇ ଈଶା ଜିତିଲେ ସ୍ବର୍ଣ୍ଣ

ଭାରତର ଈଶା ସିଂହ ଚଳିତବର୍ଷ ତାଙ୍କ ଚମତ୍କାର ପ୍ରଦର୍ଶନ ଜାରିରଖି  ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୨୫ ମିଟର ପିସ୍ତଲ ପ୍ରତିଯୋଗିତାରେ ଅଲିମ୍ପିକ୍ ପଦକ ବିଜେତା ମନୁ ଭାକରଙ୍କୁ ପଛରେ ପକାଇ ଇଶା ସ୍ବର୍ଣ୍ଣ ପଦକ ଜିତିଛନ୍ତି। କାଂସ୍ୟ ପଦକ ପାଇଁ ସୁଟ୍‌ଆଉଟ୍‌ ହୋଇଥିଲା। ଏଥିରେ ମନୁ ଚମତ୍କାର ପ୍ରଦର୍ଶନ କରି ପଦକ ଜିତି ପାରିଛନ୍ତି। ଫଳରେ ଭାରତର ଦୁଇଜଣ ସୁଟର ପୋଡିୟମ୍‌ରେ ସ୍ଥାନ ପାଇଥିଲେ। ଏହି ବିଜୟ ସହ ଈଶା ଭାରତର ଉଦୀୟମାନ ସୁଟିଂ ତାରକା ଭାବେ ପୁଣି ନିଜକୁ ପ୍ରମାଣିତ କରିଛନ୍ତି। କିଛି ସପ୍ତାହ ତଳେ ମ୍ୟୁନିକ୍‌ରେ ରେକର୍ଡ ସୃଷ୍ଟି କରିଥିବା ଈଶା ଉତ୍କୃଷ୍ଟ ପ୍ରଦର୍ଶନ କରି ଆଉ ଏକ ବିଶ୍ବକପ୍ ଟାଇଟଲ ହାସଲ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ମନୁ ଭାକର ୫୮୬ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ଈଶା ସିଂହ ୫୮୫ ସ୍କୋର କରି ଫାଇନାଲରେ କରିଥିଲେ। ଫାଇନାଲରେ ଈଶା ସିଂହ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୪୦ଟି ସଫଳ ସଟ୍ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।

Leave a comment