ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ମହାରାଷ୍ଟ୍ରର ଅହିଲ୍ୟାନଗରରେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ସମର୍ଥନରେ ଗୁରୁବାର ୨ ଘଣ୍ଟା ମୌନ ବ୍ରତ କରିଛନ୍ତି। ହଜାରେ ଅହିଲ୍ୟାନଗରସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ପୂର୍ବାହ୍ନ ୧୧ଟା ବେଳେ ତାଙ୍କ ମୌନ ବିରୋଧ ଆରମ୍ଭ କରି ମଧ୍ୟାହ୍ନ ଗୋଟାଏ ବେଳେ ସମାପ୍ତ କରିଛନ୍ତି। ଏହା ପରେ ସେ ନିଜ ଗାଁ ରାଲେଗନ ସିଦ୍ଧି ବାହାରି ଯାଇଛନ୍ତି। ଏହା ପୂର୍ବରୁ ହଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ‘ହିଂସା ଓ ପୋଲିସ କାର୍ଯ୍ୟାନୁଷ୍ଠାନ ଖବର ଅତ୍ୟନ୍ତ ଦୁଃଖଦ’ ବୋଲି ଉଲ୍ଲେଖ କରିଥିଲେ।
ଆନ୍ନା ହଜାରେ ତାଙ୍କ ପତ୍ରରେ ବିକ୍ଷୋଭକାରୀଙ୍କ ଆକ୍ରୋଶକୁ ଆଇନଶୃଙ୍ଖଳା ସମସ୍ୟା ରୂପେ ନୁହେଁ ବରଂ ସମାଜର ପୀଡ଼ା ଓ ଆଶାଆକାଙକ୍ଷା ଭାବେ ଦେଖାଯିବା ଉଚିତ ବୋଲି ଲେଖିଥିଲେ। ପତ୍ରରେ ଆନ୍ନା ଆଗ୍ରହ କରିଥିଲେ ଯେ ସରକାର ବିକ୍ଷୋଭକାରୀଙ୍କ କଥାକୁ ଧୈର୍ଯ୍ୟ ପୂର୍ବକ ଶୁଣନ୍ତୁ, ବିଶ୍ୱାସର ପରିବେଶ ସୃଷ୍ଟି କରନ୍ତୁ ଓ ସକରାତ୍ମକ ବାର୍ତ୍ତା ମାଧ୍ୟମରେ ସମାଧାନ ଖୋଜନ୍ତୁ। ଗୁରୁବାର ମୌନ ବିରୋଧ ପରେ ଆନ୍ନା ହଜାରେ ସାମ୍ବାଦିକଙ୍କ ସହ ଆଲୋଚନାରେ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଏଥି ପାଇଁ ଲେଖିଥିଲେ ଯେ ସେ ଦେଖର ‘ସର୍ବୋଚ୍ଚ’ ନେତା ଓ ତାଙ୍କୁ ଲୋକଙ୍କ ସମସ୍ୟା ଅବଗତ କରାଯିବା ଦରକାର।
ଅନ୍ୟପଟେ ଦିଲ୍ଲୀରେ ଗୁରୁବାର ଜନ୍ତର-ମନ୍ତର ଓ ଏହାର ଆଖପାଖର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। ଅଧିକାରୀମାନେ କନ୍ନଟ ପ୍ଲେସ୍ ରେ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଓ ରେଷ୍ଟୁରଣ୍ଟା ବନ୍ଦ କରାଇଛନ୍ତି। ଏହା ଛଡା ବିରୋଧ ସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ଓ ସବୁ ସୁରକ୍ଷା କର୍ମୀଙ୍କୁ ୟୁନିଫର୍ମରେ ରହିବାକୁ ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ାକଡ଼ି ଆଦେଶ ଜାରି କରାଯାଇଛି।