୨୦୨୫-୨୬ ଶିକ୍ଷାବର୍ଷର ଦୁଇଟି ସେମିଷ୍ଟର ପେପର ଲିକ୍ ଅଭିଯୋଗ, ବାତିଲ ହେଲା ପରୀକ୍ଷା

ପୁଣି ଲିକ୍ ହେଲା ପ୍ରଶ୍ନପତ୍ର। ଏଭଳି ଘଟଣା ଘଟିଛି ବୀର ମାଧୋ ସିଂହ ଭଣ୍ଡାରୀ ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟ (UTU) । ୨୦୨୫-୨୬ ଶିକ୍ଷାବର୍ଷର ଦୁଇଟି ସେମିଷ୍ଟର ପେପର ଲିକ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରିଛି। ଘଟଣା ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ତଦନ୍ତରେ ପ୍ରଶ୍ନପତ୍ରର ଗୋପନୀୟତା ଭଙ୍ଗ ହୋଇଥିବାର ସମ୍ଭାବ୍ୟ ପ୍ରମାଣ ମିଳିଥିବା ନେଇ ଜଣାପଡିଛି ।’ମେସିନ୍ ଲର୍ଣ୍ଣିଂ ଫର୍ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍’ ଏବଂ ‘ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫିଲ୍ଡ ଥିଓରି’ ବିଷୟର ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ,ଶିବାଲିକ୍ କଲେଜ ଅଫ୍ ଇଞ୍ଜିନିୟରିଂର ସହକାରୀ ପ୍ରଫେସର ଆଶିଷ କୁମାର ଗୁପ୍ତା ‘ମେସିନ୍ ଲର୍ଣ୍ଣିଂ ଫର୍ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍’ ପ୍ରଶ୍ନପତ୍ର ପ୍ରସ୍ତୁତି ସହ ଜଡ଼ିତ ଥିଲେ। ତଦନ୍ତରେ ଜଣାପଡ଼ିଛି ଯେ ପରୀକ୍ଷାର ପ୍ରାୟ 90 ପ୍ରତିଶତ ପ୍ରଶ୍ନ ପରୀକ୍ଷା ପୂର୍ବରୁ ଏକ କଲେଜ ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ଛାତ୍ରଛାତ୍ରୀଙ୍କ ସହ ସେୟାର ହୋଇଥିବା ସହ ପରୀକ୍ଷା ପ୍ରଶ୍ନପତ୍ରରେ ମେଳ ଖାଉଥିଲା।ତଦନ୍ତ ସମୟରେ ‘ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫିଲ୍ଡ ଥିଓରି’ ପ୍ରଶ୍ନପତ୍ରରେ ମଧ୍ୟ ଗୋପନୀୟତା ଉଲ୍ଲଂଘନର ସୂଚନା ମିଳିଥିଲା। ଏହାପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉଭୟ ପରୀକ୍ଷା ବାତିଲ କରିବା ସହ ମାମଲାର ବିସ୍ତୃତ ତଦନ୍ତ ଆରମ୍ଭ କରିଛନ୍ତି। ଏହି ପେପର ଲିକ୍ ଘଟଣାରେ ସମ୍ପୃକ୍ତ କଲେଜର ଭୂମିକା ମଧ୍ୟ ଯାଞ୍ଚ କରାଯାଉଛି।

Leave a comment