ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬: ପ୍ରତିଯୋଗିତାରେ ସ୍ବର୍ଣ୍ଣ ସହ ୨୦୧୮ ସଫଳତାକୁ ଦୋହରାଇବା ଲକ୍ଷ୍ୟ ରଖିଛନ୍ତି ନୀରଜ
ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ରେ ଦୌଡ଼କୁଦରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଦାବିଦାର ରହିଛନ୍ତି। ନୀରଜ ଉକ୍ତ ପ୍ରତିଯୋଗିତାରେ ସ୍ବର୍ଣ୍ଣ ସହ ୨୦୧୮ ସଫଳତାକୁ ଦୋହରାଇବା ଲକ୍ଷ୍ୟ ରଖିଛନ୍ତି। ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗାଷ୍ଠୀ କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ। ୮ ବର୍ଷ ପରେ ନୀରଜ ଗ୍ଲାସଗୋରେ ପୁରୁଣା ସଫଳତାକୁ ଦୋହରାଇବାକୁ ଆଶାବାଦୀ ରହିଛନ୍ତି। ୨୮ ବର୍ଷୀୟ ନୀରଜ ଆହତ ପାଇଁ ୯ ମାସ ଧରି ପ୍ରତିଯୋଗିତାରୁ ଦୂରେଇ ରହିଥିଲେ। ଏପରିକି ଗତବର୍ଷ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ୯ ମାସ ପରେ ନୀରଜ ଗତ ମାସରେ ପ୍ରତିଦ୍ବନ୍ଦ୍ବିତାମୂଳକ ପ୍ରତିଯୋଗିତାକୁ ଓହ୍ଲାଇଥିଲେ। ଦୋହା ଡାଏମଣ୍ଡ ଲିଗ୍ରେ ୮୫.୬୯ ମିଟର ଦୂରତ୍ବକୁ ଥ୍ରୋ କରି ଚତୁର୍ଥ ସ୍ଥାନ ହାସଲ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀରଜଙ୍କୁ ଦୋହା ଡାଏମଣ୍ଡ ଲିଗ୍ରେ ସ୍ବର୍ଣ୍ଣ ବିଜେତା ଶ୍ରୀଲଙ୍କାର ରୁମେଶ ଥରଙ୍ଗା ପାଥିରାଗେ,ପାକିସ୍ତାନର ଅଲିମ୍ପିକ୍ସ ଚମ୍ପିଆନ ଅର୍ଶଦ ନଦିମଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ଯାହା ନୀରଜଙ୍କ ପାଇଁ ସ୍ବର୍ଣ୍ଣ ଜିତିବା ସହଜ ମନେ କରାଯାଉନାହିଁ। ନୀରଜ ଉକ୍ତ ପ୍ରତିଯୋଗିତାରେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ନଜର ରହିବ। ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୌଡ଼କୁଦରେ ନୀରଜ ଚୋପ୍ରା, ଲଙ୍ଗଜମ୍ପରେ ମୂରଲୀ ଶ୍ରୀଶଙ୍କରଙ୍କ ଠାରୁ ଭାରତ ସ୍ବର୍ଣ୍ଣ ପଦକ ଆଶା ରଖିଛି। ଏହାଛଡ଼ା ୧୯ ବର୍ଷୀୟା ଏଷ୍ଟ୍ର ହାଇଜମ୍ପର ପୂଜା, ସର୍ବେଶ କୁସାରେ, ଷ୍ଟ୍ରିପଲ ଚେଜ୍ର ପାରୁଲ ଚୌଧୁରୀ, ପୁରୁଷ ୫୦୦୦ ମିଟର ଦୌଡ଼ରେ ଗୁଲବୀର ସିଂହ,ଡିସକ୍ସ ଫିଙ୍ଗାଳି ସୀମା ପୁନିଆ ପ୍ରମୁଖଙ୍କଠାରୁ ଭାରତ ପଦକ ଆଶା ରଖିଛି। ସୂଚନାଯୋଗ୍ୟ, ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଦୌଡ଼କୁଦରେ ଭାରତ ଗୋଟିଏ ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି କାଂସ୍ୟ ସହ ୮ଟି ପଦକ ଜିତିଥିଲା।