ହୋଟେଲ ସୁଇମିଂ ପୁଲରେ ବଡ଼ ଅଘଟଣ,ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ୬୦ ଜଣ ପର୍ଯ୍ୟଟକ ଅସୁସ୍ଥ

ସ୍ପେନର ‘କୋଷ୍ଟା ଡେଲ୍ ସୋଲ୍’ ନିକଟସ୍ଥ ବେନାହାଭିସ୍ ଅଞ୍ଚଳର ଏକ ହୋଟେଲ ସୁଇମିଂ ପୁଲରେ ବଡ଼ ଅଘଟଣ ଘଟିଛି । ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ଅତି କମରେ ୬୦ ଜଣ ପର୍ଯ୍ୟଟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥମାନଙ୍କ ମଧ୍ୟରେ ଶିଶୁ ଓ ବୟସ୍କ ମଧ୍ୟ ସାମିଲ ଅଛନ୍ତି ।

ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁଇମିଂ ପୁଲରେ କ୍ଲୋରିନ୍ ଏବଂ ଏସିଡ୍ ପ୍ରବେଶ କରାଉଥିବା ପ୍ରେସର ପମ୍ପର ସର୍କିଟ୍ ବ୍ରେକର୍ ଟ୍ରିପ୍ ହୋଇଥିଲା । ଏହି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ଲୋରିନ୍ ଓ pH ନିୟନ୍ତ୍ରଣ ବ୍ୟବସ୍ଥା କାମ କରିବା ବନ୍ଦ କରିଦେଇଥିଲା । କିନ୍ତୁ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍ ନିର୍ଗତ ହେବା ଜାରି ରହିଥିଲା ।

ପୁଲରେ ଗାଧୋଉଥିବା ପର୍ଯ୍ୟଟକମାନେ ଏହି ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ଶ୍ୱାସକ୍ରିୟାରେ କଷ୍ଟ ଓ ବିଷ କ୍ରିୟାର ଶିକାର ହୋଇଥିଲେ । ଆକ୍ରାନ୍ତଙ୍କ ମଧ୍ୟରେ ବ୍ରିଟେନ, ପୋର୍ତ୍ତୁଗାଲ, ଫ୍ରାନ୍ସ ଓ ଜର୍ମାନୀର ପର୍ଯ୍ୟଟକ ଅଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ସୁଇମିଂ ପୁଲ୍କୁ ବନ୍ଦ କରି ଦିଆଯାଇଛି ଏବଂ ସ୍ଥାନୀୟ ଲ୍ୟାବ୍ ଦ୍ୱାରା ଜଳ ଓ ଗ୍ୟାସର ନମୁନା ପରୀକ୍ଷା ସହ ଘଟଣାର ତଦନ୍ତ ଜାରି ରହିଛି ।

ଦୁଇ ଦିନ ମଧ୍ୟରେ କ୍ଲୋରିନ୍ ସମ୍ପର୍କିତ ଦ୍ୱିତୀୟ ଘଟଣା

ଇଟାଲୀର ରୋମ ନିକଟସ୍ଥ ମେଣ୍ଟାନାରେ ଏକ ସୁଇମିଂ ପୁଲରେ ଆଠ ଜଣ କ୍ଲୋରିନ୍ ଧୂଆଁର ସଂସ୍ପର୍ଶରେ ଆସିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି । ଜଣେ ପାଞ୍ଚ ବର୍ଷର ବାଳକ ଗୁରୁତର ହୋଇ ପଡ଼ିଥିଲେ । ୧୦ରୁ ୧୫ ବର୍ଷର ଅନ୍ୟ ଚାରି ଜଣ ପିଲା ନିଃଶ୍ୱାସ ନେବାରେ କଷ୍ଟ, ଗଳାରେ ପୋଡ଼ାଜଳା ଏବଂ ଆଖି ପୋଡ଼ିବା ଭଳି ଲକ୍ଷଣ ଦେଖା ଦେଇଥିଲା । ପ୍ରାୟ ୫୦ ଜଣଙ୍କୁ ସ୍ପୋର୍ଟ୍ସ କମ୍ପ୍ଲେକ୍ସରୁ ସ୍ଥାନାନ୍ତର କରାଯାଇଥିଲା ।

Leave a comment