ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର,ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା
ଶୁକ୍ରବାର ଶରଧାବାଲିରେ ତିନି ରଥ ପହଞ୍ଚିବା ପରେ ଆଜି ଆଡ଼ପ ମଣ୍ଡପେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂରତି। ଶନିବାର ସମସ୍ତ ନୀତିକାନ୍ତି ପରେ ୭ଟା ପରେ ଶ୍ରୀଜିଉଙ୍କ ଆଡ଼ପ ବିଜେ ନୀତି ଆରମ୍ଭ ହୋଇଥିଲା। ଏହି ସମୟରେ ହୁଳହୁଳି, ଘଣ୍ଟ ବାଦ୍ୟ ଓ ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଥିଲା ଶରଧାବାଲି। ଆଉ ଗୋଟି ପହଣ୍ଡିରେ ଯାଇ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର। ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା।
ଆଜି ସକାଳେ ତିନି ରଥରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହେବା ପରେ ମଇଲମ, ତଡ଼ପଲାଗି, ଅବକାଶ, ବେଶ ଶେଷ, ଗୋପାଳବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା। ଅପରାହ୍ନରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ଓ ସନ୍ଧ୍ୟା ଆଳତି ପରେ ରଥରେ ମଦନ ମୋହନ ବିଜେ କରିଥିଲେ। ଏହା ପରେ ଚକ୍ରରାଜ ସୁଦର୍ଶନ ଗୋଟି ପହଣ୍ଡିରେ ଯାଇଥିଲେ। ପରେ ପ୍ରଭୁ ବଳଭଦ୍ର ଏବଂ ତାଙ୍କ ପରେ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିଥିଲେ। ଶେଷରେ ସୁଶୋଭିତ ଟାହିଆ ଲଗାଇ ଝୁଲି ଝୁଲି ପହଣ୍ଡିରେ ଆସିଥିଲେ କଳା ଠାକୁର। ଘଣ୍ଟଘଣ୍ଟା, ବାଦ୍ୟରେ ଗୁଞ୍ଜରିତ ହୋଇ ଉଠିଥିଲା ଶରଧାବାଲି। ଆଉ ନାକଚଣା ଦ୍ଵାର ଦେଇ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ।
ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା। ଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ରେ ଆସନ୍ତାକାଲି ଠାରୁ ଲୀଳା ଖେଳା କରିବେ ମହାପ୍ରଭୁ। ଏଣୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଡ଼ପ ଅବଢ଼ା ପାଇବା ପାଇଁ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସହିତ ସୁଆର ମହାସୁଆର ନିଯୋଗ ମଧ୍ୟରେ ଉତ୍ତମ ସମନ୍ବୟ ରଖାଯାଇ ସମସ୍ତ ପ୍ରସ୍ତୁତି କରାଯାଇଛି। ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଙ୍କ ସୂଚନା ଅନୁଯାୟୀ ଆସନ୍ତାକାଲି ଦିନ ୨ ଟା ୩୦ ସୁଦ୍ଧା ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପରେ ପ୍ରଥମ ଆଡ଼ପ ଅବଢ଼ା ବାହାରିବ। ୫୦ ହଜାର ଭକ୍ତଙ୍କ ପାଇଁ ଆଡ଼ପ ଅବଢ଼ା ବ୍ୟବସ୍ଥା କରାଯାଇଛି। ୨୪୦ ଟି ଚୁଲିରେ ଆଡ଼ପ ଅବଢ଼ା ପ୍ରସ୍ତୁତ ହେବ।