୨୦୨୬ ଫିଫା ବିଶ୍ବକପ୍ : ଫାଇନାଲ ଟିକଟର ମୂଲ୍ୟ ଆକାଶଛୁଆଁ,ଭାରତୀୟ ମୁଦ୍ରାରେ କେଇ ଲକ୍ଷ ଟଙ୍କାରେ
ଚଳିତ ୨୦୨୬ ଫିଫା ବିଶ୍ବକପ୍ର ମେଗା ଫାଇନାଲ କ୍ରୀଡ଼ା ଜଗତର ଆର୍ଥିକ ଇତିହାସକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବାକୁ ଥିବା ଏହି ମେଗା ଫାଇନାଲ ମ୍ୟାଚ୍ ଆମେରିକା ଇତିହାସରେ ଏପର୍ଯ୍ୟନ୍ତ ସବୁଠାରୁ ବ୍ୟୟବହୁଳ କ୍ରୀଡ଼ା ପ୍ରତିଯୋଗିତା ପାଲଟିଛି। ପ୍ରସିଦ୍ଧ ବିଶ୍ବସ୍ତରୀୟ ବ୍ୟବସାୟିକ ପତ୍ରିକା ‘ଫୋର୍ବସ’ ପକ୍ଷରୁ ପ୍ରକାଶିତ ରିପୋର୍ଟ ଏବଂ ଟିକଟ ପ୍ଲାଟଫର୍ମ ‘ଟିକ ପିକ୍’ର ତଥ୍ୟ ଅନୁଯାୟୀ, ଚଳିତ ବିଶ୍ବକପ୍ ଫାଇନାଲ ଟିକଟର ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି, ଯାହା ଭାରତୀୟ ମୁଦ୍ରାରେ କେଇ ଲକ୍ଷ ଟଙ୍କାରେ ପହଞ୍ଚିଛି।
ଫୋର୍ବସ ରିପୋର୍ଟ ଅନୁଯାୟୀ, ଷ୍ଟାଡିୟମରେ ପ୍ରବେଶ କରିବା ପାଇଁ ସବୁଠାରୁ ଶସ୍ତା ବା ସର୍ବନିମ୍ନ ଟିକଟର ମୂଲ୍ୟ ୬,୯୪୩ ଡଲାର ରହିଛି; ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୫ ଲକ୍ଷ ୯୦ ହଜାର ଟଙ୍କା। ବୁଧବାର ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଆର୍ଜେଣ୍ଟିନା ଫାଇନାଲ ଟିକଟ ହାସଲ କରିବା ପୂର୍ବରୁ ସର୍ବନିମ୍ନ ମୂଲ୍ୟ ପ୍ରାୟ ୭,୨୦୦ ଡଲାର (ପ୍ରାୟ ୬ ଲକ୍ଷ ୧୨ ହଜାର ଟଙ୍କା) ଥିଲା; ଯେଉଁଥିରେ ସାମାନ୍ୟ ହ୍ରାସ ଘଟିଛି। ତେବେ ସବୁଠାରୁ ଚକିତକର ତଥ୍ୟ ହେଉଛି; ବିଭିନ୍ନ ଇଭେଣ୍ଟର ଟିକଟ ମୂଲ୍ୟର ବିଶ୍ଲେଷଣ କରୁଥିବା ସଂସ୍ଥା ‘ଟିକ୍ ପିକ୍’ ଅନୁଯାୟୀ ଫାଇନାଲ ମ୍ୟାଚ୍ ପାଇଁ ଟିକଟର ହାରାହାରି ମୂଲ୍ୟ ୧୧,୩୨୭ ଡଲାର ଅର୍ଥାତ୍ ପ୍ରାୟ ୯ ଲକ୍ଷ ୬୨ ହଜାର ଟଙ୍କା; ଯାହା ଯେକୌଣସି କ୍ରୀଡ଼ାର ପ୍ରତିଯୋଗିତାରେ ସର୍ବକାଳୀନ ରେକର୍ଡ। ଅନ୍ୟପକ୍ଷରେ ବୁଧବାର ସୁଦ୍ଧା ସବୁଠାରୁ ମହଙ୍ଗା ଟିକଟ ହେଉଛି ମେଟ୍ଲାଇଫ୍ ଷ୍ଟାଡିୟମର ‘ସେକ୍ସନ ୧୧୫-ଏ’ର। ଏଠାରେ ବସିବା ପାଇଁ କ୍ରୀଡ଼ାପ୍ରେମୀ ମାତ୍ର ଦୁଇଟି ଟିକଟ ପାଇଁ ୨୮,୪୭୯ ଡଲାର ଲେଖାଏଁ ମୋଟ ୫୬,୯୫୮ ଡଲାର ଖର୍ଚ୍ଚ କରିଛନ୍ତି; ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪୮ ଲକ୍ଷ ୪୧ ହଜାର ଟଙ୍କା (ଗୋଟିଏ ଟିକଟର ମୂଲ୍ୟ ପ୍ରାୟ ୨୪.୨ ଲକ୍ଷ ଟଙ୍କା)। ଆମେରିକା ଖେଳ ଇତିହାସର ସବୁଠାରୁ ମହଙ୍ଗା ଇଭେଣ୍ଟର ହାରାହାରି ଟିକଟ ମୂଲ୍ୟକୁ ଆଧାରକରି ଆମେରିକା କ୍ରୀଡ଼ା ଇତିହାସରେ ପୂର୍ବରୁ ଆୟୋଜିତ ହୋଇଥିବା ସବୁଠାରୁ ମହଙ୍ଗା ଖେଳଗୁଡ଼ିକର ତାଲିକାରେ ଚଳିତ ୨୦୨୬ ଫିଫା ବିଶ୍ବକପ୍ର ଫାଇନାଲ ଶୀର୍ଷରେ ପହଞ୍ଚିଛି। ଏହା ଆମେରିକାର ସବୁଠାରୁ ବଡ଼ ଖେଳ ଇଭେଣ୍ଟ୍ ନ୍ୟାସନାଲ ଫୁଟ୍ବଲ ଲିଗ୍ ଫାଇନାଲ ‘ସୁପର ବୋଲ୍’କୁ ମଧ୍ୟ ପଛରେ ପକାଇ ଦେଇଛି। କେବଳ ଫାଇନାଲ ମ୍ୟାଚ୍ ନୁହେଁ; ବରଂ ୨୦୨୬ ବିଶ୍ବକପ୍ ମଧ୍ୟ ଫିଫାର ୯୬ ବର୍ଷର ଫୁଟବଲ ଇତିହାସରେ ସବୁଠାରୁ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ସାବ୍ୟସ୍ତ ହୋଇଛି। ‘ସିଟ୍ ପିକ୍’ର ତଥ୍ୟ ଅନୁଯାୟୀ, ଗତ ମାସରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ହାରାହାରି ଟିକଟ ମୂଲ୍ୟ ୧,୬୨୨ ଡଲାର (ପ୍ରାୟ ୧.୩ ଲକ୍ଷ ଟଙ୍କା) ଥିଲା; ଯାହା ସେମିଫାଇନାଲ ବେଳକୁ ବୃଦ୍ଧି ପାଇ ୪,୧୬୨ ଡଲାର (ପ୍ରାୟ ୩.୫ ଲକ୍ଷ ଟଙ୍କା)ରେ ପହଞ୍ଚିଥିଲା। ସେହିପରି ତୃତୀୟ ସ୍ଥାନ ପାଇଁ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ର ସର୍ବନିମ୍ନ ପ୍ରବେଶ ମୂଲ୍ୟ ମଧ୍ୟ ପ୍ରାୟ ୯୦୦ ଡଲାର (ପ୍ରାୟ ୭୬,୫୦୦ ଟଙ୍କା) ରହିଛି। ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ ୟୁରୋପର ଶକ୍ତିଶାଳୀ ଦଳ ସ୍ପେନ୍ ମଧ୍ୟରେ ଏହି ଟାଇଟଲ୍ ଲଢ଼େଇ ହେବାକୁ ଯାଉଥିବାରୁ ଫୁଟ୍ବଲପ୍ରେମୀ ଇତିହାସର ସାକ୍ଷୀ ହେବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ବାସ୍ତବରେ ଅଭୂତପୂର୍ବ।