ରଥ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ। ଭକ୍ତମୟ ହେଲାଣି ବଡ଼ଦାଣ୍ଡ। କାଳିଆ ସାଆନ୍ତର ଟିକେ ଦରଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୂଅ ଛୁଟିଲାଣି। ଆସନ୍ତାକାଲି ପବିତ୍ର ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ରଥଟଣା ଅପରାହ୍ଣ ୪ଟାରୁ ଆରମ୍ଭ ହେବ। ଶ୍ରୀଜିଉଙ୍କ ଧାଡ଼ି ପହଣ୍ଡି ସକାଳ ୯ଟା ୩୦ରୁ ଆରମ୍ଭ ହେବ।
ଭୋର ୬ଟାରୁ ମଙ୍ଗଳ ଆଳତି ଓ ସକାଳର ପହିଲି ନୀତିକାନ୍ତି
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରା ଦିନ ଭୋର ସମୟରୁ ଶ୍ରୀମନ୍ଦିରରେ ପୂଜାବିଧି ଆରମ୍ଭ ହେବ। ସକାଳ ୬ଟାରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହେବ। ଏହାପରେ ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ମଇଲମ ଓ ତଡ଼ପଲାଗି ନୀତି ସମ୍ପନ୍ନ ହେବ। ସେହିପରି ସକାଳ ୬ଟା ୩୦ରେ ରୋଷ ହୋମ ଓ ସକାଳ ୭ଟାରେ ମହାପ୍ରଭୁଙ୍କ ଅବକାଶ ନୀତି କରାଯିବ।
ଦ୍ୱାରପାଳ ପୂଜା ଓ ପ୍ରସିଦ୍ଧ ଖେଚୁଡ଼ି ଭୋଗ ସମୟ
ଶ୍ରୀମନ୍ଦିର ଭିତରେ ସକାଳ ୭ଟା ୧୦ରେ ସୂର୍ଯ୍ୟ ପୂଜା ଓ ସକାଳ ୭ଟା ୩୦ରେ ଦ୍ୱାରପାଳ ପୂଜା ଅନୁଷ୍ଠିତ ହେବ। ଏହାପରେ ଶ୍ରୀଜୀଉମାନଙ୍କ ପାଇଁ ସ୍ୱତନ୍ତ୍ର ଗୋପାଳ ବଲ୍ଲଭ ଓ ସକାଳ ଧୂପ (ପ୍ରସିଦ୍ଧ ଖେଚୁଡ଼ି ଭୋଗ) ନୀତି ସକାଳ ୮ଟାରୁ ୯ଟା ମଧ୍ୟରେ ଶେଷ କରାଯିବା ପାଇଁ ସମୟ ଧାର୍ଯ୍ୟ ହୋଇଛି।
ରଥ ପ୍ରତିଷ୍ଠା ଓ ଶ୍ରୀଜୀଉଙ୍କ ପହଣ୍ଡି ବିଜେ
ଖେଚୁଡ଼ି ଭୋଗ ଶେଷ ହେବା ପରେ ବଡ଼ଦାଣ୍ଡରେ ତିନି ରଥର ପ୍ରତିଷ୍ଠା କାର୍ଯ୍ୟ ସକାଳ ୯ଟାରେ କରାଯିବ। ଏହାର ଠିକ୍ ପରେ, ଅର୍ଥାତ୍ ସକାଳ ୯ଟା ୧୫ରେ ମଙ୍ଗଳାର୍ପଣ ନୀତି ହେବ। ଭକ୍ତଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ସକାଳ ୯ଟା ୩୦ରୁ ମହାପ୍ରଭୁଙ୍କ ଭବ୍ୟ ଧାଡ଼ି ପହଣ୍ଡି ଆରମ୍ଭ ହେବ, ଯାହା ଦିନ ୧୨ଟା ୩୦ ସୁଦ୍ଧା ଶେଷ ହେବ। ଏହି ସମୟରେ ଶ୍ରୀମଦନ ମୋହନ ଦିନ ୧୨ଟା ୩୦ରେ ଏବଂ ଶ୍ରୀଶ୍ରୀରାମ ଓ ଶ୍ରୀଶ୍ରୀ କୃଷ୍ଣ ଦିନ ୧ଟାରେ ରଥକୁ ବିଜେ କରିବେ।
ରଥାରୂଢ଼ ଚିତା ଲାଗି ବେଶ ଓ ଗଜପତିଙ୍କ ଛେରା ପହଁରା
ମହାପ୍ରଭୁ ରଥ ଉପରକୁ ବିଜେ କରିବା ପରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ଓ ପ୍ରକାଶ୍ୟ ନୀତି ଆରମ୍ଭ ହେବ। ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଶ୍ରୀଜୀଉମାନଙ୍କ ଚିତା ଲାଗି ନୀତି କରାଯିବ। ଦିନ ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ଶ୍ରୀଜୀଉମାନଙ୍କ ସଜବାଜ ଓ ରଥ ବେଶ ଶେଷ ହେବ। ଏହାପରେ ପ୍ରଥମ ସେବକ ଗଜପତି ମହାରାଜାଙ୍କ ଦ୍ୱାରା ଦିନ ୨ଟାରୁ ୩ଟା ମଧ୍ୟରେ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରାଯିବ।
ରଥ ପ୍ରସ୍ତୁତି ଶେଷ ଓ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ
ଛେରା ପହଁରା ସରିବା ପରେ ରଥକୁ ଟାଣିବା ପାଇଁ ପ୍ରସ୍ତୁତ କରାଯିବ। ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟାଯିବ ଏବଂ ରଥରେ ଘୋଡ଼ା ଓ ସାରଥୀ ଲାଗିବେ। ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ, ଅପରାହ୍ନ ୪ଟାରେ ବହୁ ପ୍ରତୀକ୍ଷିତ ରଥଟଣା କାର୍ଯ୍ୟ ଆରମ୍ଭ ହେବ ଏବଂ ଭକ୍ତମାନେ ଦଉଡ଼ି ଧରି ତିନି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିବେ।