ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ, ତିନି ରଥ ଦାୟିତ୍ଵ ପାଇଁ ଅଧିକାରୀ ନିଯୁକ୍ତ

ବିଶ୍ଵ ପ୍ରସିଦ୍ଧ ଘୋଷ ଯାତ୍ରାକୁ ଆଉ ମାତ୍ର ୫ ଦିନ ବାକି ରହିଲା। ଶୃଙ୍ଖଳିତ ରଥଯାତ୍ରା ଏବଂ ନୀତି କାନ୍ତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥ ଦାୟିତ୍ଵରେ କେଉଁ ଅଧିକାରୀ ରହିବେ ସେ ନେଇ ଆଲୋଚନା ହୋଇଛି।

ନନ୍ଦିଘୋଷ ରଥ ଦାୟିତ୍ଵରେ ପୁରୀ ଜିଲ୍ଲାପାଳ, ତାଳଧ୍ବଜ ରଥ ଦାୟିତ୍ଵରେ ପୁରୀ ଏସପି ଏବଂ ଦର୍ପଦଳନ ରଥ ଦାୟିତ୍ଵରେ ଅତିରିକ୍ତ ଜିଲ୍ଲାପାଳ ରହିବେ। ପ୍ରତି ରଥରେ ନିର୍ଦ୍ଦେଶକ ଏବଂ ବୈଷୟିକ ଦଳ ରହିବେ। ରଥଟଣା ସମସ୍ତ ନିଷ୍ପତ୍ତି ନେବେ ଏହି ଦଳ। ରଥ କର୍ଡନ ଭିତରେ କର୍ଡନ ପାସ୍ ସୀମିତ ସଂଖ୍ୟକ ଦିଆଯିବ। କେବଳ ପ୍ରାଧିକୃତ ଅଧିକାରୀ ଏବଂ ସେବାୟତ ରଥ ନିକଟରେ ରହିବା ପାଇଁ ଅନୁମତି ଦିଆଯିବ। ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ଉପରେ କଟକଣା ରହିବ। ରଥ ଉପରେ ଅନଧିକୃତ ବ୍ୟକ୍ତି କିମ୍ବା ଅଣ ସେବାୟତ ଚଢିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଚଳିତ ବର୍ଷ ପ୍ରତି ରଥ ପାଇଁ ଆଉ ଗୋଟିଏ ସେଟ୍ ରଥ ଦଉଡି଼ ରଖାଯିବ। ରଥ ଦଉଡି଼ ଦାୟିତ୍ଵରେ ପୋଲିସ ଅଧିକାରୀ ମାନେ ରହିବେ। ସେହିପରି ଚଳିତ ବର୍ଷ ଦୁଇଟି ଚାରମାଳ ସେଟ୍ ରହିବ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଲାଗିବା ପରେ କେଉଁ ସମୟରେ ଚାରମାଳ ନିଆଯିବ ସେନେଇ ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା କାର୍ଯ୍ୟ କରାଯିବ। ବଡ଼ଦାଣ୍ଡରେ ରଥ ରହିଲେ ରଥକୁ ସଙ୍ଗେ ସଙ୍ଗେ କର୍ଡନ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବ। ନିର୍ଦ୍ଧାରିତ ସମୟରେ ସମସ୍ତ ନୀତି କାନ୍ତି କରାଯିବା ପାଇଁ ଚେଷ୍ଟା କରାଯିବ।

୧୪ ତାରିଖ ନବଯୌବନ ଦର୍ଶନ ଅପରାହ୍ନ ୨ ଟା ରେ ଆରମ୍ଭ ହେବ। ଚଳିତବର୍ଷ ସୀମିତ ତଥା କମ୍ ସମୟ ପାଇଁ ଭକ୍ତ ମାନେ ନବଯୌବନ ଦର୍ଶନ କରିବେ। ମହାପ୍ରଭୁଙ୍କ ନୀତି ବହୁଳତା ପାଇଁ କମ୍ ସମୟ ଦର୍ଶନ ବ୍ୟବସ୍ଥା ରହିବ। ନେତ୍ରୋତ୍ସବ ପରଦିନ ଉଭା ଅମାବାସ୍ୟାରେ ମହାପ୍ରଭୁଙ୍କର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଦସ୍ୟ, ଛତିଶା ନିଯୋଗ ନାୟକଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a comment