ଜ୍ୱର କମ୍ପନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ତାତି,ଆଜି ଶ୍ରୀଅଙ୍ଗ ଫିଟା ନୀତି ଆରମ୍ଭ

୧୦୮ ଗରାରେ ସ୍ନାନ ପରେ ମହାଜ୍ୱରରେ ପୀଡିତ ମହାପ୍ରଭୂ । ଜ୍ୱର କମ୍ପନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ତାତି । ଅନବସରର ଚାରି ଦିନରେ ଅଣସର ଘରେ ଦଇତାପତି ସେବାୟତମାନେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି କରିଛନ୍ତି । ତାସହ ଶ୍ରୀଅଙ୍ଗ ଫିଟା ନୀତି ଆରମ୍ଭ ହୋଇଛି । ଆସନ୍ତାକାଲି ଫୁଲୁରି ତେଲ ଆସିବା ପରେ ତାପର ଦିନଠୁ ଲାଗିହେବ ଫୁଲୁରି ତେଲ। ନିଷ୍ଠାର ସହ ମହାପ୍ରଭୁଙ୍କ ସେବା କରୁଛନ୍ତି ଦଇତାପତି ସେବକ । ଅଣସର ଘର ଅନ୍ଧକାର ଥିବାରୁ ସେବାୟତମାନେ ପ୍ରଦୀପ ଜାଳି ଦିଅଁମାନଙ୍କର ସେବା କରିଥାନ୍ତି । ମହାପ୍ରଭୁ ଅଣସର ଘରେ ଥିବାରୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ । ସେପଟେ ମହାପ୍ରଭୁଙ୍କ ପାଇଁ ଚାଲିଛି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ । ରଥ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ପୋଟଳ କାର୍ଯ୍ୟ ଜାରି ରହିଛି ।

ଅନ୍ୟପଟେ ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ଚାଲିଛି ଅନବସର ଦର୍ଶନ । ତୃତୀୟ ଦିନରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ୨ କୁଇଣ୍ଟାଲ ଫୁଲରେ ସଜିତ ହୋଇଛନ୍ତି ପ୍ରଭୁ ଅଲାରନାଥ । ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଆଜି ଭୋର ୪ଟାରୁ ମନ୍ଦିର ଖୋଲାଯାଇଥିଲା । ପ୍ରଥମେ ମଙ୍ଗଳ ଆଳତି, ପରେ ମଇଲମ, ତଡପ ଲାଗି ଓ ଅବକାଶ ନିତି ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଚାଲିଛି ।

Leave a comment