ବିଜେଡିରେ ହୋଇପାରେ ସୁଜାତାଙ୍କ ଏଣ୍ଟ୍ରି,ଏନେଇ ନବୀନ ନିବାସରେ ବସିଛି ବଡ଼ ବୈଠକ
ରାଜନୀତିକ ଉତ୍ଥାନ-ପତନ ଭିତରେ ବିଜେଡିରେ ହୋଇପାରେ ସୁଜାତାଙ୍କ ଏଣ୍ଟ୍ରି । ଖୁବଶୀଘ୍ର ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ପୂର୍ବତନ ଆଇଏଏସ୍ ମାଡାମ୍ ବିଜେଡିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏନେଇ ନବୀନ ନିବାସରେ ବସିଛି ବଡ଼ ବୈଠକ ।
ବୁଧବାର ଅପରାହ୍ନ ସମୟରେ ନବୀନ ନିବାସରେ ବଡ଼ ହଲଚଲ୍ । ନବୀନ ନିବାସରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଅଛନ୍ତି । ବିରୋଧୀ ଦଳ ନେତାଙ୍କ ବାସଭବନରେ ଚାଲିଛି ବଡ଼ ବୈଠକ । ଏହି ବୈଠକରେ ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ନେଇ ଆଲୋଚନା । ବୈଠକ ପରେ ଅତନୁ ସବ୍ୟସାଚୀନାୟକ କହିଛନ୍ତି ଯେ, “ସୁପ୍ରିମୋ ନିଷ୍ପତ୍ତି ନେବେ ।” ସେହିପରି ପ୍ରମିଳା ମଲ୍ଲିକ ମଧ୍ୟ ସମାନ କଥା କହିଛନ୍ତି । କିନ୍ତୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ତାଙ୍କ ଏଣ୍ଟ୍ରି ହେଲେ ସ୍ୱାଗତ କରାଯିବ । ମହିଳା ସଶକ୍ତିକରଣ ନେଇ ସୁଜାତାଙ୍କ ରହିଛି ଅବଦାନ ।
ସୂଚନାଯୋଗ୍ୟ, ୨୦୦୦ ବ୍ୟାଚ୍ IAS ଅଫିସର ସୁଜାତା କାର୍ତ୍ତିକେୟନ । ପ୍ରାରମ୍ଭିକ ଭାବେ ତାଙ୍କ ଜୀବନ ଜାମସେଦପୁରରେ କଟିଥିଲା । ସେଠାରେ ତାଙ୍କ ବାପା ଜଣେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମୟରେ ସୁଜାତାଙ୍କ IAS କ୍ୟାରିୟର ଆରମ୍ଭ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର-ସହ-ସଚିବ ଭାବେ କାର୍ଯ୍ୟ କରିଥିଲେ, ଯାହା ମହିଳା ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୦୧ରେ ଆରମ୍ଭ ହୋଇଥିଲା । ୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ପ୍ରଥମେ ଛଅ ମାସର ଛୁଟିରେ ଥିଲେ । ନଭେମ୍ବର ୨୬, ୨୦୨୪ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା, କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ବିଜେପି ସରକାର ଅନୁମତି ଦେଇ ନଥିଲେ । ଯାହାପରେ ସେ IAS ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ ।