ଫିଫା ବିଶ୍ବକପ୍ :୩-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ମ୍ୟାଚ ଜିତିଛି ଇଜିପ୍ଟ
ଜିପ୍ଟର ସୁପର୍ ଷ୍ଟାର ମହମ୍ମଦ୍ ସାଲାହ୍ ଚଳିତ ବିଶ୍ବକପ୍ରେ ପ୍ରଥମ ଗୋଲ୍ ସ୍କୋର୍ କରିଛନ୍ତି। ଫଳତଃ ଚଳିତ ଫିଫା ବିଶ୍ବକପ୍ରେ ଇଜିପ୍ଟ ପ୍ରଥମ ମ୍ୟାଚ୍ ଜିତିପାରିଛି। ସୋମବାର ସକାଳେ ଖେଳା ଯାଇଥିବା ଗ୍ରୁପ୍ ‘ଜି’ର ଏକ ମ୍ୟାଚ୍ରେ ଇଜିପ୍ଟ ୩-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଇଜିପ୍ଟ ଦ୍ବିତୀୟାର୍ଦ୍ଧରେ ୩ଟିଯାକ ଗୋଲ୍ ଦେଇଥିଲା। ଇଜିପ୍ଟ ପାଇଁ ଏହି ବିଜୟ ଐତିହାସିକ। କାରଣ ପୂର୍ବରୁ ଇଜିପ୍ଟ ୩ଟି ବିଶ୍ବକପ୍ ଖେଳିଥିବା ବେଳେ ଗୋଟିଏ ହେଲେ ମ୍ୟାଚ୍ ଜିତି ପାରିନଥିଲା। ନ୍ୟୁଜିଲାଣ୍ଡକୁ ହରାଇ ୪ର୍ଥ ବିଶ୍ବକପ୍ରେ ଇଜିପ୍ଟ ପ୍ରଥମ ବିଜୟ ହାସଲ କରିପାରିଛି। ପ୍ରଥମ ମ୍ୟାଚ୍ ଡ୍ର ରଖିଥିବା ଇଜିପ୍ଟ ଏହି ବିଜୟ ସହ ମୋଟ ୪ ପଏଣ୍ଟ ପାଇ ଗ୍ରୁପ୍ର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ଇଜିପ୍ଟ ଶେଷ ଲିଗ୍ ମ୍ୟାଚ୍ରେ ଇରାନକୁ ଭେଟିବ। ଇଜିପ୍ଟ ଏହି ମ୍ୟାଚ୍ ଜିତିଲେ କିମ୍ବା ଅତିକମ୍ରେ ଡ୍ର ରଖିଲେ ଏହା ପ୍ରଥମଥର ରାଉଣ୍ଡ ଅଫ୍ ୩୨ ବା ନକ୍ଆଉଟକୁ ଉନ୍ନୀତ ହେବ। ଏହି ଗ୍ରୁପ୍ର ଅନ୍ୟ ଏକ ମ୍ୟାଚ୍ରେ ବେଲଜିୟମ୍ ସହ ଇରାନ୍ ଗୋଲଶୂନ୍ୟ ଡ୍ର ରଖିଥିଲା। ଫଳରେ ଗ୍ରୁପ୍ ‘ଜି’ରୁ ନକ୍ଆଉଟ ଯିବା ରୋଚକ ହୋଇଯାଇଛି। ୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ଥିବା ବେଲ୍ଜିୟମ ତା’ର ଶେଷ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତକଲେ କିମ୍ବା ଅତିକମ୍ରେ ଡ୍ର ରଖିଲେ ଏହା ନକ୍ଆଉଟକୁ ଯିବ।
ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଇଜିପ୍ଟର ତାରକା ଖେଳାଳି ମହମ୍ମଦ ସାଲାହ୍ ନିଃସନ୍ଦେହରେ ଦଳର ହିରୋ ସାଜିଥିଲେ। ତେବେ ୧୫ ମିନିଟ୍ରେ ନ୍ୟୁଜିଲାଣ୍ଡ ଗୋଲ୍ଦେଇ ଇଜିପ୍ଟକୁ ସ୍ତବ୍ଧ କରି ଦେଇଥିଲା। ଫିନ୍ ସୁମ୍ୟାନ୍ ଏହି ଗୋଲ୍ ସ୍କୋର୍କରି ନ୍ୟୁଜିଲାଣ୍ଡକୁ ଆଗୁଆ କରାଇଥିଲେ। ପରେ ଏହି ଗୋଲ୍ ଶୁଝାଇବାକୁ ଇଜିପ୍ଟ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା। ମହମ୍ମଦ୍ ସାଲାହ୍ ଆକ୍ରମଣର ନେତୃତ୍ବ ନେଇଥିଲେ। ପ୍ରଥମାର୍ଦ୍ଧରେ ସେ ମଧ୍ୟ ଦୁଇଥର ଗୋଲ୍ ଦେବାର ସୁଯୋଗ ହରାଇଥିଲେ। ପ୍ରଥମାର୍ଦ୍ଧରେ ନ୍ୟୁଜିଲାଣ୍ଡ ୧-୦ ଗୋଲ୍ରେ ଆଗୁଆ ଥିଲା। ଇଜିପ୍ଟ ଦ୍ବିତୀୟାର୍ଦ୍ଧରେ ଏକ ଭିନ୍ନ ଦଳ ପରି ନଜର ଆସିଥିଲା। ମହମ୍ମଦ୍ ସାଲାହ୍ଙ୍କ ଆସିଷ୍ଟରେ ଇଜିପ୍ଟର ମୋସ୍ତାଫା ଜିକୋ ୫୮ ମିନିଟ୍ରେ ପ୍ରଥମ ଗୋଲ୍ଦେଇ ସ୍କୋର୍କୁ ୧-୧ କରିଥିଲେ। ୬୭ତମ ମିନିଟ୍ରେ ମହମ୍ମଦ୍ ସାଲାହ୍ ଚଳିତ ବିଶ୍ବକପ୍ରେ ପ୍ରଥମ ତଥା ୬୮ତମ ଅନ୍ତର୍ଜାତୀୟ ଗୋଲ୍ ସ୍କୋର କରିଥିଲେ। ୨୦୨୮ ବିଶ୍ବକପ୍ରେ ୨ଟି ଗୋଲ୍ ଦେଇଥିବା ସାଲାହ୍ ଜୀବନର ୩ୟ ବିଶ୍ବକପ୍ ଗୋଲ୍ ସ୍କୋର୍ କରିଥିଲେ। ୨-୧ରେ ଆଗୁଆ ହେବା ପରେ ଇଜିପ୍ଟ ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିଲା। ୮୨ ମିନିଟ୍ରେ ଟ୍ରେଜେଗ୍ବେ ଇଜିପଟ୍ ପାଇଁ ୩ୟ ଗୋଲ୍ ଦେବା ପରେ ଏହାର ବିଜୟ ପ୍ରାୟ ନିଶ୍ଚିତ ହୋଇଥିଲା। ୮୫ ମିନିଟ୍ରେ ମହମ୍ମଦ୍ ସାଲାହ୍ ପଡ଼ିଆ ଛାଡିଥିଲେ। ଷ୍ଟାଡିୟମ୍ରେ ଦର୍ଶକ ଛିଡ଼ାହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ।