୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ବାୟୁ ଛୁଇଁବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ

ଆଗକୁ ବଢିବା ସହ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ଛୁଇଁବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ବଲାଙ୍ଗୀର ଓ ସୁନ୍ଦରଗଡ଼ ସମେତ ଅନେକ ଅଞ୍ଚଳକୁ ଛୁଇଁସାରିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଜୁନ୍ ମାସର ପ୍ରଥମାର୍ଦ୍ଧରେ ଓଡ଼ିଶାରେ ବର୍ଷାର ପରିମାଣ ସ୍ଵାଭାବିକଠାରୁ ପ୍ରାୟ ୪୮% କମ୍ ରହିଥିଲା। ମାତ୍ର ଗତ କିଛି ଦିନ ହେବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହେଉଥିବା ଲଗାତାର ବର୍ଷା ଯୋଗୁଁ ନିଅଣ୍ଟିଆ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାର ସମସ୍ତ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ବିଶେଷକରି ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ବର୍ଷା ସମୟରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶାର କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ । ଅନ୍ୟ ସମସ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଯାହାଫଳରେ ତାପମାତ୍ରା ସ୍ଵାଭାବିକଠାରୁ କମ୍ ରହିବ । ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୬୦ କିମି ବେଗରେ ଝଟକା ପବନ ବହିପାରେ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି ।

Leave a comment