ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ଚୋରି ମାମଲା: ଦାନ ଅର୍ଥ ଗଣତିରେ ନିୟୋଜିତ ୪୦ ଜଣଙ୍କୁ ହଟାଇ ଦିଆଯାଇଛି

ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ଚୋରି ମାମଲାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବଡ଼ ପଦକ୍ଷେପ ନେଇଛି । ପ୍ରଭୁ ଶ୍ରୀରାମ ମନ୍ଦିର ଦାନ ହୋଇଥିବା ରାଶି ଚୋରି ମାମଲାରେ ୪୦ ଜଣଙ୍କୁ ହଟାଇ ଦିଆଯାଇଛି । ଏମାନେ ଦାନ ଅର୍ଥ ଗଣତିରେ ନିୟୋଜିତ ଥିଲେ । ବ୍ୟାଙ୍କ୍ ଓ ଟ୍ରଷ୍ଟ ପକ୍ଷରୁ ନୂଆ ଗଣତି କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ମାମଲାର ତଦନ୍ତ କରୁଥିବା SIT ଟିମ୍ ଦାନ ପେଟିରୁ ଟଙ୍କା ସଂଗ୍ରହ, ଗଣନା ଓ ବ୍ୟାଙ୍କରେ ଜମା ପ୍ରକ୍ରିୟାକୁ ଖତିଆନ କରୁଛି । ଏସଆଇଟି ଟିମ୍ ଯାଞ୍ଚ ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରିପାରେ । ଏହି ମାମଲାରେ ଆଗକୁ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ଖବର ଅନୁଯାୟୀ, ଏସଆଇଟି ଏହାର ତଦନ୍ତ କରି ଦାନ ରେକର୍ଡ, ସିସିଟିଭି ଫୁଟେଜ, କ୍ୟାସ ଗଣିବାର ପକ୍ରିୟା ଏବଂ ଅନ୍ୟ ମୂଲ୍ୟବାନ ଜିନିଷ ସହିତ ଜଡିତ ତଥ୍ୟ ଉପରେ ଯାଞ୍ଚ କରିଛି । ଟ୍ରଷ୍ଟ ସହିତ ଜଡିତ ଲୋକ, ପୂଜାରି ଏବଂ ବ୍ୟାଙ୍କ ଅଧିକାରୀ ଏବଂ କ୍ୟାସ୍ ରଖୁଥିବା କର୍ମଚାରୀଙ୍କ ସମେତ ୧୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଥିଲା ।

ତେବେ ତଦନ୍ତ ସମୟରେ ରାମ ମନ୍ଦିର ଟ୍ରଷ୍ଟର ସଚିବଙ୍କୁ ମଧ୍ୟ ପ୍ରାୟ ତିନି ଘଣ୍ଟା ଧରି ଏକ ବନ୍ଦ କୋଠରୀରେ ପଚରାଉଚରା କରାଯାଇଥିଲା । ଏହି ସମୟ ମଧ୍ୟରେ, ତଦନ୍ତକାରୀ ଅଧିକାରୀମାନେ ପ୍ରସାଦ ସଂଗ୍ରହ, ସୁରକ୍ଷା ବ୍ୟବସ୍ଥା, ନିରୀକ୍ଷଣ ବ୍ୟବସ୍ଥା ଏବଂ ପ୍ରଶାସନିକ ପ୍ରକ୍ରିୟା ସହିତ ଜଡିତ ଅନେକ ପ୍ରଶ୍ନ ପଚାରିଥିଲେ । ଏସଆଇଟି ଯାଞ୍ଚରେ ଥିବା ସମସ୍ତ ଲୋକଙ୍କୁ ଯାଞ୍ଚ ନ ସରିବା ଯାଏଁ ଅଯୋଧ୍ୟା ନ ଛାଡିବାକୁ କୁହାଯାଇଛି ।

ଏସଆଇଟି ରାମଶଙ୍କରଙ୍କୁ କ୍ରମାଗତ ଭାବେ ପଚରାଉଚରା କରିଛି । ସେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କର ଜଣେ ପୁରୁଣା ସହଯୋଗୀ ବୋଲି କୁହାଯାଉଛି । ମାମଲାର ସୂଚନା ରଖିଥିବା ବ୍ୟକ୍ତିମାନଙ୍କ ଅନୁସାରେ, ଟିମ୍ ତାଙ୍କର ନିକଟତମ ସହଯୋଗୀ, ସମ୍ପର୍କୀୟ ଓ ତାଙ୍କ ସମ୍ପତ୍ତି ବିଷୟରେ ମଧ୍ୟ ସୂଚନା ସଂଗ୍ରହ କରିଛି ।

Leave a comment