ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ,ଜିତୁ ମୁଣ୍ଡାଙ୍କ କ୍ଲେମରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ
ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ । କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କ୍ଲେମରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ । କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଜଣେ ମୃତ ଜମାକାରୀଙ୍କ ଜମା ରାଶି ପ୍ରଦାନରେ ହୋଇଥିବା ଅହେତୁକ ବିଳମ୍ବକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ବ୍ରାଞ୍ଚ ମ୍ୟାନେଜରଙ୍କୁ ନିଲମ୍ବନ କରାଯିବା ସହ ପୀଡ଼ିତ ପରିବାରର କ୍ଲେମ ସେଟଲମେଣ୍ଟ କରାଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଗତ ଜୁନ୍ ୧୨ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ବାବଦରେ ଅବଗତ କରାଇଛନ୍ତି । ସ୍ଥାନୀୟ ପ୍ରଶାସନର ସହାୟତାରେ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ ହେବା ପରେ, ମୃତ ଆକାଉଣ୍ଟଧାରୀଙ୍କ ଜମା ରାଶି ୧୯ହଜାର ୪୦୨ ଟଙ୍କା ତାଙ୍କ ଆଇନଗତ ଉତ୍ତରାଧିକାରୀ ଜିତୁ ମୁଣ୍ଡା ଓ ଅନ୍ୟ ଦୁଇ ଜଣଙ୍କ ସପକ୍ଷରେ ପ୍ରଦାନ କରାଯାଇଛି ।
ଏହା ସହ ଗ୍ରାହକମାନଙ୍କୁ ସ୍ୱଚ୍ଛ ଓ ସହାନୁଭୂତିପୂର୍ଣ୍ଣ ସେବା ଯୋଗାଇବା ପାଇଁ ବ୍ୟାଙ୍କ୍ ତାର ସମସ୍ତ କ୍ଷେତ୍ରୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କେବଳ ଓଡ଼ିଶା ନୁହେଁ, ବରଂ ଗତ ମେ ୨୯ରେ କେନ୍ଦ୍ର ଆର୍ଥିକ ସେବା ବିଭାଗ ଦେଶର ସମସ୍ତ ୨୮ଟି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ କୁ କଡ଼ା ନିର୍ଦ୍ଦେଶ ଦେଇଛି। ଗ୍ରାମୀଣ, ଆଦିବାସୀ ଓ ଅବହେଳିତ ବର୍ଗର ଗ୍ରାହକମାନେ ଯେପରି ବ୍ୟାଙ୍କିଙ୍ଗ୍ ସେବା ପାଇବାରେ କୌଣସି ହଇରାଣ ନହୁଅନ୍ତି, ତାହା ନିଶ୍ଚିତ କରିବାକୁ କୁହାଯାଇଛି । କେନ୍ଦୁଝରର ଜିତୁ ମୁଣ୍ଡା ଘଟଣା ଓଡ଼ିଶାର ଆଦିବାସୀ ଓ ଗ୍ରାମୀଣ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏହି ଘଟଣା ସାମ୍ନାକୁ ଆଣିଥିଲା । ବ୍ୟାଙ୍କର ଜଟିଳ ପ୍ରକ୍ରିୟା ଯୋଗୁଁ ଏକ ଗରିବ ଆଦିବାସୀ ପରିବାର କେମିତି ହଇରାଣ ହେଉଛନ୍ତି, ସେ କଥା ସେ ଉଠାଇବା ସହ ବ୍ୟାଙ୍କର ଏଭଳି ବ୍ୟବହାରକୁ ଅମାନୁଷିକ ବୋଲି ଦର୍ଶାଇଥିଲେ । ନବୀନଙ୍କ ହସ୍ତକ୍ଷେପ ପରେ କେନ୍ଦ୍ରର ଏହି ତ୍ୱରିତ ପଦକ୍ଷେପ ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ଏକ ବଡ଼ ଦୃଷ୍ଟାନ୍ତ ପାଲଟିଛି ।