ଭାରତ ଓ ୟୁକ୍ରେନ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି ଏବଂ ଆଗକୁ ଏହି ସମ୍ପର୍କକୁ ଅଧିକ ମଜବୁତ କରାଯିବ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଫ୍ରାନ୍ସର ଏଭିଆନ୍ ସହରରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ଭାରତ ସର୍ବଦା ଶାନ୍ତି ପକ୍ଷରେ ରହିବ ଏବଂ ଅନ୍ୟ ସବୁ ଜିନିଷ ଅପେକ୍ଷା ମାନବିକତାର ମୂଲ୍ୟବୋଧକୁ ସର୍ବୋଚ୍ଚ ପ୍ରାଥମିକତା ଦେବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ସାଢ଼େ ଚାରି ବର୍ଷ ମଧ୍ୟରେ ଏହି ସାକ୍ଷାତକାରକୁ କୂଟନୈତିକ ସ୍ତରରେ ଏକ ବଡ଼ ସଫଳତା କୁହାଯାଉଛି, କାରଣ ଏହି ବୈଠକରେ କେବଳ ଶାନ୍ତି ଆଲୋଚନା ନୁହେଁ, ବରଂ ଯୁଦ୍ଧ ପୂର୍ବ ସ୍ଥିତି ଭଳି ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କର ପୁନରୁଦ୍ଧାର ଏବଂ ବିଭିନ୍ନ ଶିଳ୍ପ ପ୍ରକଳ୍ପର ସମ୍ପ୍ରସାରଣ ଉପରେ ଉଭୟ ନେତା ସମ୍ମତି ପ୍ରକାଶ କରିଛନ୍ତି। ବୈଠକ ପରେ ପିଏମ୍ ମୋଦୀ ସୋସିଆଲ ମିଡିଆ ଆପ୍ ‘ଏକ୍ସ’ ରେ ପୋଷ୍ଟ କରି କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ଭାରତ ଓ ୟୁକ୍ରେନ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି ଏବଂ ଆଗକୁ ଏହି ସମ୍ପର୍କକୁ ଅଧିକ ମଜବୁତ କରାଯିବ।
ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଏହି ଆଲୋଚନାକୁ ଅତ୍ୟନ୍ତ ସକାରାତ୍ମକ ଦର୍ଶାଇ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ମିଳିତ ଶିଳ୍ପ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାର ବଡ଼ ସମ୍ଭାବନା ରହିଛି ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ଏହି ପାରସ୍ପରିକ ସମ୍ପର୍କକୁ ଆଗକୁ ନେବା ପାଇଁ ବେଶ୍ ଆଗ୍ରହୀ ଅଟନ୍ତି। ଏହି ପ୍ରକଳ୍ପଗୁଡ଼ିକର ସମସ୍ତ ବୈଷୟିକ ଦିଗ ଉପରେ କାର୍ଯ୍ୟ କରିବାକୁ ଦୁଇ ଦେଶର ପ୍ରତିନିଧି ଦଳ ସହମତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୨ ଫେବୃଆରୀରେ ଯୁଦ୍ଧ ଆରମ୍ଭ ହେବା ପଠାରୁ ଭାରତ ସନ୍ତୁଳନ ରକ୍ଷା କରି ଉଭୟ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି।
ମୋଦୀ ବର୍ତ୍ତମାନ ସୁଦ୍ଧା ଜେଲେନସ୍କିଙ୍କ ସହ ୮ ଥର ଫୋନରେ କଥା ହେବା ସହ ୪ ଥର ସାକ୍ଷାତ କରିସାରିଛନ୍ତି। ଏହାପୂର୍ବରୁ ଗତ ଅଗଷ୍ଟ ୩୦ରେ ମୋଦୀ ଯେତେବେଳେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ପାଇଁ ଚୀନର ତିଆନଜିନ ଗସ୍ତ କରିଥିଲେ, ସେତେବେଳେ ମଧ୍ୟ ଉଭୟଙ୍କ ମଧ୍ୟରେ ଶେଷ ଆଲୋଚନା ହୋଇଥିଲା।