ଫିଫା ଫୁଟବଲ ବିଶ୍ବକପ: ଦୀର୍ଘ ୩୬ ବର୍ଷ ପରେ ଫୁଟବଲ ବିଶ୍ବକପରେ ବିଜୟ ସ୍ବାଦ ପାଇଛି ଅଷ୍ଟ୍ରିଆ
ଅଷ୍ଟ୍ରିଆ ଦୀର୍ଘ ୩୬ ବର୍ଷ ପରେ ଫୁଟବଲ ବିଶ୍ବକପରେ ବିଜୟ ସ୍ବାଦ ପାଇଛି। ଚଳିତ ଫିଫା ଫୁଟବଲ ବିଶ୍ବକପର ବୁଧବାର ଖେଳାଯାଇଥିବା ଗ୍ରୁପ-ଜେ ର ମ୍ୟାଚରେ ଅଷ୍ଟ୍ରିଆ ୩-୧ ଗୋଲରେ ପଦାର୍ପଣକାରୀ ଜୋର୍ଡାନକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରଅା ୩ ପଏଣ୍ଟ ପାଇଛି। ଅଷ୍ଟ୍ରିଆ ଶେଷ ଥର ପାଇଁ ୧୯୯୦ରେ ଆମେରିକାକୁ ବିଶ୍ବକପରେ ହରାଇବାରେ ସଫଳ ହୋଇଥିଲା। ଫିଫା ମାନ୍ୟତାର ୨୪ତମ ସ୍ଥାନରେ ଥିବା ଅଷ୍ଟ୍ରିଆ ପକ୍ଷରୁ ୨୧ ମିନିଟ୍ରେ ରୋମାନୋ ଶ୍ଚିମିଡ଼ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଅଷ୍ଟ୍ରିଆ ୧-୦ ଗୋଲରେ ଆଗୁଆ ରହିଥିଲା। ୫୦ ମିନିଟ୍ରେ ଜୋର୍ଡାନ ପକ୍ଷରୁ ଅଲ୍ଲୀ ୱଲୱାନନ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ୭୬ ମିନିଟ୍ରେ ଜୋର୍ଡାନ ଆତ୍ମଘାତୀ ଗୋଲ ବରଣ କରିଥିଲା। ୟାଜନ ଅଲ୍ ଆରବଙ୍କ ଆତ୍ମଘାତୀ ଗୋଲ ବଳରେ ଅଷ୍ଟ୍ରିଆ ୨-୧ ଗୋଲରେ ଆଗୁଆ ରହିଥିଲା। ଖେଳର ଇଞ୍ଜୁରୀ ସମୟରେ ଅଷ୍ଟ୍ରିଆକୁ ଏକ ପେନାଲ୍ଟି ମିଳିଥିଲା। ଏହାକୁ ମାର୍କୋ ଆନାଉଟୋଭିକ ଗୋଲରେ ପରିଣତ କରି ଅଷ୍ଟ୍ରିଆକୁ ୩-୧ ଗୋଲରେ ବିଜୟୀ କରାଇଥିଲେ।