ଆସୁଛି ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’,ମାମଲାର ଶୀଘ୍ର ଫଇସଲା ପାଇଁ ଅଗଷ୍ଟ ୨୧ରୁ ୨୩ ଯାଏଁ ସୁଯୋଗ

ଆସୁଛି ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’। ମାମଲାର ଶୀଘ୍ର ଫଇସଲା ପାଇଁ ଅଗଷ୍ଟ ୨୧ରୁ ୨୩ ଯାଏଁ ସୁଯୋଗ ।  ଆସନ୍ତାକାଲି କଟକରେ ବଡ଼ କାର୍ଯ୍ୟକ୍ରମ ହେବ। କୋର୍ଟ କଚେରୀରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାର ଶୀଘ୍ର ଓ ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି ।

ଏହି କ୍ରମରେ ଓଡ଼ିଶାରେ ଆସନ୍ତା ଅଗଷ୍ଟ ୨୧, ୨୨ ଓ ୨୩ ତାରିଖରେ ତିନି ଦିନିଆ ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’ ଆୟୋଜନ ହେବ ।  ଏହି ମେଗା ଇଭେଣ୍ଟକୁ ସଫଳ କରିବା ପାଇଁ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (OSLSA) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।ସ୍ୱତନ୍ତ୍ର ଲୋକ ଅଦାଲତ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ କଟକସ୍ଥିତ ଓଡ଼ିଶା ଜୁଡିସିଆଲ୍ ଏକାଡେମୀରେ ବଡ଼ ଧରଣର ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହେବ ।

ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ତଥା OSLSA ର ପାଟ୍ରନ୍-ଇନ୍-ଚିଫ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ତାଙ୍କ ସହ ହାଇକୋର୍ଟଙ୍କ ଅନ୍ୟାନ୍ୟ ବରିଷ୍ଠ ବିଚାରପତି ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ମୁଖ୍ୟ ବିଚାରପତି ଏହି ଅବସରରେ ‘ସମାଧାନ ସମାରୋହ-୨୦୨୬’ ର ମହତ୍ତ୍ୱ ଓ ଏହାର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବେ ।  ବିକଳ୍ପ ବିବାଦ ସମାଧାନ ମାଧ୍ୟମରେ ଅତି ସହଜରେ ଓ ସ୍ୱଳ୍ପ ସମୟ ମଧ୍ୟରେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ କରି ସାଧାରଣ ଜନତାଙ୍କ ପାଖରେ ମୁହଁରେ ନ୍ୟାୟ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ  ।  ସେହିପରି କୋର୍ଟର ବୋଝ କମ୍ କରିବା ତିନି ଦିନିଆ ସ୍ୱତନ୍ତ୍ର ଲୋକ ଅଦାଲତର ଲକ୍ଷ୍ୟ ରହିଛି।

Leave a comment