ପରାଜିତ ପ୍ରାର୍ଥୀ ମାନଙ୍କୁ ନେଇ ବୈଠକ କଲେ ବିଜେଡ଼ି ସୁପ୍ରିମୋ ନବୀନ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦେଲେ ପରାମର୍ଶ
ଆଜି ଶଙ୍ଖ ଭବନଠାରେ ୨୦୨୪ ସାଧାରଣ ନିର୍ବାଚନରେ ପରାଜିତ ପ୍ରାର୍ଥୀ ମାନଙ୍କ ସହ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏକ ସାଙ୍ଗଠନିକ ବୈଠକ କରିଛନ୍ତି। ଏଥିରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଯାଉଥିବାରୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାକୁ ନେତାମାନଙ୍କୁ କହିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଅବସରରେ ବିଜୁ ଜନତା ଦଳ ସଭାପତି କହିଛନ୍ତି ଯେ ଗତ ଦୁଇ ବର୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଷୁଡି ଯାଇଛି ।
ଅପରାଧରେ ସୀମା ଲଙ୍ଘିଲାଣି ଏହି ସରକାର
ନବୀନ ପଟ୍ଟନାୟକ କହିଛନ୍ତି, ଜନ ସାଧାରଣ ଭୟରେ ରହିଛନ୍ତି । ହତ୍ୟା, ଧର୍ଷଣ, ଲୁଟ, ନାରୀ ନିର୍ଯାତନା ଆଦି ଅପରାଧ ସୀମା ଲଙ୍ଘି ସାରିଲାଣି । ଅର୍ଥନୈତିକ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡ଼ିଛି । ବିଜେଡି ସରକାର କ୍ଷମତାରୁ ଯିବା ସମୟରେ ୪୫ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡି ଯାଇଥିଲା ବେଳେ ଏବେ ରାଜ୍ୟର ଋଣ ଭାର ବଢି ଚାଲିଛି । ଦୁଃଖର କଥା ବୁଢାବୁଢୀ, ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ପେନସନ୍ ମଧ୍ୟ ଏ ସରକାର ଅମଳରେ ମିଳୁନାହିଁ । ଓଡ଼ିଶା ଶାସନରେ ଏଭଳି ଅବ୍ୟବସ୍ଥା କୌଣସି ସରକାର ଅମଳରେ ଦେଖା ନଥିଲା ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆ ଉପରେ ଅଧିକ ଗୁରୁତ୍ୱ ଦିଅ
ନବୀନ କହିଛନ୍ତି, ବିଜେଡିର ୨୪ ବର୍ଷ ଶାସନ ସମୟରେ ଓଡିଶା ବିଭିନ୍ନ କ୍ଷେତ୍ରରେ ଭଲ କାମ କରି ସାରା ଦେଶରେ ନିଜର ଏକ ଉଜ୍ଜ୍ୱଳ ପରିଚୟ ସୃଷ୍ଟି କରିଥିଲା । ବିପର୍ଯ୍ୟୟ ପ୍ରଶମନ ଓ ଖାଦ୍ୟ ସୁରକ୍ଷା ଠାରୁ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, ଜଳସେଚନ, ଭିତ୍ତିଭୂମି ଆଦିର ବିକାଶ, ଚାଷୀ, ମହିଳା ଓ ଗରୀବ ଲୋକଙ୍କ କଲ୍ୟାଣ ପାଇଁ ଅନେକ ଭଲ କାମ କରିଥିଲା । ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସିଲାଣି । ସେଥିପାଇଁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଏହା ସହିତ ସୋସିଆଲ ମିଡିଆ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।
ବର୍ତ୍ତମାନ ରାଜ୍ୟରେ ଚାଲିଥିବା SIR ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ SIR ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ । ଅନ୍ୟ ରାଜ୍ୟରେ SIR ସମୟରେ ଘଟିଥିବା ଘଟଣାବଳୀକୁ ଦୃଷ୍ଟିରେ ରଖି ଆମକୁ ସତର୍କ ଓ ସଜାଗ ରହି କାମ କରିବାକୁ ପଡିବ ବୋଲି କହିଥିଲେ । ସାମାନ୍ୟ Typographical error ପାଇଁ ଯେପରି ଜଣେ ବି ଯୋଗ୍ୟ ଭୋଟରର ନାମ ବାଦ୍ ନ ଯିବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ସେ ପରାମର୍ଶ ଦେଇଥିଲେ ।
ମହିଳା ସଂରକ୍ଷଣରେ ଛଳନା କରୁଛି ବିଜେପି
ସରକାରଙ୍କ ବିଫଳତା ବିଶେଷ କରି ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜେପିର ଛଳନାପୂର୍ଣ୍ଣ ଆଚରଣର ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଚାଲିଥିବା ନାରୀ ଅଧିକାର ଅଭିଯାନର ବିପୁଳ ସଫଳତା ପରିବର୍ତ୍ତନର ସୂଚନା ଦେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ଏବଂ ଏଥିପାଇଁ ଦଳୀୟ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଜେଡି ଡାକରାରେ ପ୍ରବଳ ଖରାରେ ହଜାର ହଜାର ମହିଳା ଘରୁ ବାହାରି ଯେପରି ନାରୀ ଅଧିକାର ଅଭିଯାନରେ ସାମିଲ ହୋଇଥିଲେ ସେଥିପାଇଁ ଶ୍ରୀ ପଟ୍ଟନାୟକ ମା’ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟର ୧୨୦ ଟି ନିର୍ବାଚନ ମଣ୍ଡଳୀରେ ଏହି ଅଭିଯାନ ସଫଳତାର ସହ ଶେଷ ହୋଇଛି ।
ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକକୁ ଦଳର ବରିଷ୍ଠ ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ସଞ୍ଚାଳନ କରିଥିଲେ ଏବଂ ବିଧାୟକ ପ୍ରାର୍ଥୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନଙ୍କ ମତାମତ ଦେଇଥିଲେ । ଏହି ବୈଠକରେ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମ, ବିଜେଡି ସରକାର ସମୟର ସଫଳତା ଓ SIR ଉପରେ ଏକ ଉପସ୍ଥାପନା ମଧ୍ୟ କରାଯାଇଥିଲା ।