ଗୁଜରାଟ ଜାମନଗରରେ ତିଆରି ହେବ ଦେଶର ପ୍ରଥମ ଏଆଇ ଡାଟା ସେଣ୍ଟର

କୃତ୍ରିମ ବୁଦ୍ଧିମତା ବା AI ରେସରେ ଭାରତ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଛି। ଏଥିପାଇଁ ସବୁ ପ୍ରକାର ଚେଷ୍ଟା ବି ଜାରି ରହିଛି। ସରକାରୀ ସ୍ତରରୁ ବେସରକାରୀ… ସବୁଠି ଏଆଇକୁ ଗୁରୁତ୍ବ ଦିଆଯାଉଛି। ଆଉ ଏସବୁ ପ୍ରୟାସ ଏବଂ ଉଦ୍ୟମ ଭିତରେ ଆସିଛି ବଡ଼ ଖବର। ଗୁଜରାଟ ଜାମନଗରରେ ତିଆରି ହେବ ଦେଶର ପ୍ରଥମ ଏଆଇ ଡାଟା ସେଣ୍ଟର। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରି ସହ ଡିଲ୍ କରିଛି ମେଟା। ଏହାଦ୍ବାରା ଭାରତର ଏଆଇ କ୍ଷେତ୍ର ଆହୁରି ଉନ୍ନତ ହେବ। ନିଯୁକ୍ତି ସୃଷ୍ଟି ସହ ଭାରତର ଡିଜିଟାଲ ଇକୋସିଷ୍ଟମ ମଧ୍ୟ ମଜବୁତ ହେବ।

ମେଟା- ରିଲାଏନ୍ସ ଡିଲ୍

ଗୁଜରାଟର ଜାମନଗରରେ ତିଆରି ହେବାକୁ ଯାଉଛି ଦେଶର ପ୍ରଥମ ଏଆଇ ଡାଟା ସେଣ୍ଟର । ମେଟା ଏହି ଡାଟା ସେଣ୍ଟର ନିର୍ମାଣ କରିବାକୁ ଚାହୁଥିବା ବେଳେ, ଏଥିପାଇଁ ରିଲାଏନ୍ସ ସହ ଡିଲ୍ ହୋଇଛି। ଉଭୟ କମ୍ପାନି ଏଆଇ ଡାଟା ସେଣ୍ଟର ତିଆରି କରିବେ। ଏହି ଡାଟା ସେଣ୍ଟର ୧୬୮ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ହେବ ଏବଂ ମେଟା ଏହାକୁ ଲିଜରେ ନେଇ ବ୍ୟବହାର କରିବ। ଏହା ସହ କମ୍ପାନି ଏହାର ପରିଚାଳନା ପାଇଁ ଆବଶ୍ୟକ ବିଜୁଳି ଏବଂ ପାଣିର ଖର୍ଚ୍ଚ ମଧ୍ୟ ନିଜେ ଉଠାଇବ।

ଦୁନିଆରେ ଏଆଇକୁ ନେଇ ପ୍ରତିଯୋଗିତା ବଢ଼ିଛି ଏବଂ ବଡ଼ ଟେକ୍ କମ୍ପାନି ସେମାନଙ୍କର ଡାଟା ସେଣ୍ଟର ନେଟଓ୍ବର୍କକୁ ମଜବୁତ କରିବାରେ ଲାଗିପଡ଼ିଛନ୍ତି। ମେଟା ମଧ୍ୟ ଏହି ଦିଗରେ ଦ୍ରୁତ ଗତିରେ ନିବେଶ କରୁଛି। କମ୍ପାନି କହିଛି ଜାମନଗରରେ ତିଆରି ହେବାକୁ ଥିବା ଏହି ଡାଟା ସେଣ୍ଟର, ଏହାର ଏଆଇ ମଡେଲ୍ସ ଏବଂ ଡିଜିଟାଲ ସେବାକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ। ଏହାଦ୍ବାରା ମେଟାକୁ ଭାରତ ଭଳି ବଡ଼ ଏବଂ ଦ୍ରୁତ ଭାବରେ ବଢ଼ୁଥିବା ଡିଜିଟାଲ ବଜାରରେ ନିଜର ଆଧିପତ୍ୟ ବଢ଼ାଇବାର ସୁଯୋଗ ମିଳିବ।

ସୃଷ୍ଟି ହେବ ଚାକିରି ସୁଯୋଗ

ବିଶେଷଜ୍ଞଙ୍କ ମତରେ ଏପ୍ରକାରର ବଡ଼ ଡାଟା ସେଣ୍ଟର ତିଆରି କରିବା ଦ୍ବାରା ଭାରତରେ ଏଆଇ, କ୍ଲାଉଡ କମ୍ପ୍ୟୁଟିଂ ଏବଂ ଡିଜିଟାଲ ସେବାର ଇକୋସିଷ୍ଟମ ମଜବୁତ ହେବ। ଏହାଦ୍ବାରା ନିବେଶ ବଢ଼ିବ, ନୂଆ ଚାକିରି ସୃଷ୍ଟି ହେବ ଏବଂ ଭାରତ ଏଆଇ ଇନଫ୍ରାଷ୍ଟକଚରର ବଡ଼ ବୈଶ୍ବିକ କେନ୍ଦ୍ରରେ ସାମିଲ ହୋଇପାରିବ।

ମୋଟାମୋଟି ଭାବରେ ଦେଖିଲେ ମେଟା ଏବଂ ରିଲାଏନ୍ସର ଏହି ଚୁକ୍ତି କେବଳ ଏକ ଡାଟା ସେଣ୍ଟର ପାଇଁ ନୁହେଁ ବରଂ ଭାରତକୁ ଏଆଇ ଦୁନିଆରେ ବଡ଼ ଶକ୍ତି କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି।

କ’ଣ କହିଲେ ଉଭୟ କମ୍ପାନିର ମାଲିକ

ମେଟାର ସିଇଓ ମାର୍କ ଜକରବର୍ଗ କହିଛନ୍ତି ଡାଟା ସେଣ୍ଟର କମ୍ପାନିର ଏଆଇ ଇନଫ୍ରାଷ୍ଟ୍ରକଚରକୁ ବିଶ୍ବ ସ୍ତରରେ ମଜବୁତ କରିବ ଏବଂ ଭାରତରେ ଏହାର ନିବେଶକୁ ଆହୁରି ବଢ଼ାଇବ। ସେହିଭଳି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ପାନୀ କହିଛନ୍ତି ମେଟା ଭଳି ଦୁନିଆର ବଡ଼ ଟେକ କମ୍ପାନି ପାଇଁ ଭାତରରେ ଏଆଇ ଡାଟା ସେଣ୍ଟର ତିଆରି କରିବା ଏହା ସଙ୍କେତ ଯେ, ଭାରତ ଏବେ ବିଶ୍ବ ସ୍ତରରେ ଏଆଇ କ୍ରାନ୍ତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବାକୁ ପ୍ରସ୍ତୁତ।

ମେଟା ଏବଂ ରିଲାଏନ୍ସ ପୂର୍ବରୁ ମଧ୍ୟ ଅନେକ ପ୍ରୋଜେକ୍ଟରେ ଏକାଠି କାମ କରିସାରିଛନ୍ତି। ୨୦୨୦ମେ ମେଟା ଜିଓ ପ୍ଲାଟଫର୍ମରେ ୫.୭ ବିଲିୟନ ଡଲାରର ବଡ଼ ନିବେଶ କରିଥିଲା। ଏହା ପରେ ଗତ ବର୍ଷରେ ଉଭୟ କମ୍ପାନି ମିଶି ଏକ ଜଏଣ୍ଟ ଭେଞ୍ଚର ମଧ୍ୟ କରିଥିଲେ। ଏହି କମ୍ପାନିରେ ରିଲାଏନ୍ସର ୭୦ ପ୍ରତିଶତ ଏବଂ ମେଟାର ୩୦ ପ୍ରତିଶତ ଶେୟାର ରହିଛି। ଏହାର ଉଦ୍ଦେଶ୍ୟ ଭାରତୀୟ କମ୍ପାନି ଏବଂ ଡେଭଲପର୍ସଙ୍କ ପାଇଁ ଏଆଇ ସହ ଜଡ଼ିତ ପ୍ଲାଟଫର୍ମ ଏବଂ ଟୁଲ୍ସ ପ୍ରସ୍ତୁତ କରିବା। ଏବେ ଡାଟା ସେଣ୍ଟରର ଏହି ନୂଆ ବୁଝାମଣା ଉଭୟ କମ୍ପାନିଙ୍କ ଭାଗିଦାରୀକୁ ଏକ ନୂଆ ସ୍ତରକୁ ନେଇଯିବ।

Leave a comment