ସୂର୍ଯ୍ୟକୁମାରଙ୍କୁ ଟି-୨୦ ଦଳର ଅଧିନାୟକ ପଦରୁ ହଟାଇଲା ବିସିସିଆଇ
ଭାରତୀୟ କ୍ରିକେଟ ଜଗତରୁ ଆସିଛି ବଡ଼ ଖବର। ଘରୋଇ ମାଟିରେ ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇଥିବାର ମାତ୍ର ୩ ମାସ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି। ସୂର୍ଯ୍ୟକୁମାରଙ୍କୁ ଟି-୨୦ ଦଳର ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ଏପରିକି ଆଗାମୀ ଦିନରେ ସେ ଦଳରେ ସ୍ଥାନ ପାଇବା ମଧ୍ୟ ମୁସ୍କିଲ ମନେହେଉଛି। ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଥିବା ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପୂର୍ବରୁ ବୋର୍ଡ ଏହି ପଦକ୍ଷେପ ନେଇଛି।
ଇଣ୍ଡିଆନ୍ସ ଏକ୍ସପ୍ରେସର ସୂଚନା ଅନୁଯାୟୀ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦଳ ପରିଚାଳନା ସମିତି ଏବଂ ଚୟନକର୍ତ୍ତାମାନେ ଆଗାମୀ ସିରିଜ୍ ପାଇଁ ଜଣେ ନୂଆ ଅଧିନାୟକ ନିଯୁକ୍ତ କରିବାକୁ ଯାଉଛନ୍ତି।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ଆଲୋଚନା କରିବା ପରେ ଚୟନ କମିଟି ଏବଂ ବୋର୍ଡ ଏହି ନିଷ୍ପତ୍ତି ନେଇଛନ୍ତି ଯେ, ଯେ ଭାରତୀୟ ଟି-୨୦ ଦଳ ଏବେ ଜଣେ ନୂଆ ଅଧିନାୟକଙ୍କ ସହ ଆଗକୁ ବଢ଼ିବା ଉଚିତ୍। ସୂର୍ଯ୍ୟଙ୍କ ନେତୃତ୍ୱରେ ଦଳ ବିଶ୍ୱକପ୍ ଜିତିଥିଲେ ମଧ୍ୟ ତାଙ୍କର ବ୍ୟକ୍ତିଗତ ଫର୍ମ ଏବଂ ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ ଜରୁରୀ ଥିଲା। ସୂଚନାଯୋଗ୍ୟ ଯେ, ଭାରତୀୟ ଦଳ ଆଗାମୀ ଦିନରେ ଆୟରଲାଣ୍ଡ ୨ଟି ଏବଂ ଇଂଲଣ୍ଡରେ ୫ଟି ଟି-୨୦ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି।
ଗତ ଦୁଇ ବର୍ଷ ହେବ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଫର୍ମ ଜାରି ରହିଛି। ଏହା ଚୟନକର୍ତ୍ତାଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଥିଲା। ନିକଟରେ ଶେଷ ହୋଇଥିବା ଆଇପିଏଲ୍ ୨୦୨୬ ସିଜନରେ ମଧ୍ୟ ତାଙ୍କ ପ୍ରଦର୍ଶନ ଅତି ନିମ୍ନମାନର ରହିଥିଲା। ତାଙ୍କ ବ୍ୟାଟରୁ ରନ ବାହାରିବା ମୁସ୍କିଲ ହୋଇ ଯାଇଥିଲା। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସେ ଗୋଟିଏ ଅର୍ଦ୍ଧଶତକ ହାସଲ କରି ସିଜନ ଶେଷ କରିଥିଲେ ହେଁ ସମଗ୍ର ଟୁର୍ଣ୍ଣାମେଣ୍ଟରେ ୧୩ଟି ଇନିଂସ ଖେଳି ମାତ୍ର ୨୦.୭୬ ଆଭରେଜରେ କେବଳ ୨୭୦ ରନ୍ କରିବାକୁ ସକ୍ଷମ ହୋଇଥିଲେ।
ଗତ ମାର୍ଚ୍ଚ ମାସରେ ଭାରତକୁ ତୃତୀୟ ଟି-୨୦ ବିଶ୍ୱକପ୍ ଜିତାଇଥିଲେ ମଧ୍ୟ ସୂର୍ଯ୍ୟଙ୍କ ବ୍ୟାଟିଂ ଶୈଳୀକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ୨୦୨୪ରେ ୱେଷ୍ଟଇଣ୍ଡିଜ୍ ମାଟିରେ ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଥିଲେ। ଏହାପରେ ସୂର୍ଯ୍ୟକୁମାରଙ୍କୁ ଦଳର ଅଧିନାୟକ କରାଯାଇଘଥିଲା। ହେଲେ ଅଧିନାୟକ ଦାୟିତ୍ଵ ଗ୍ରହଣ କରିବା ପରଠୁ ତାଙ୍କର ବ୍ୟାଟିଂ ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଥିଲା।