କଙ୍ଗୋରେ ଇବୋଲାର ନୂତନ ବୁଣ୍ଡିବୁଗୟୋ ଷ୍ଟ୍ରେନ୍‌ର ମାମଲା : ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୩୦ ରୁ ୫୦ ପ୍ରତିଶତଙ୍କ ମୃତ୍ୟୁ

ଇବୋଲା ପ୍ରକୋପ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱକୁ ଏକ ବଡ଼ ଏବଂ ଭୟଙ୍କର ଚେତାବନୀ ଜାରି କରିଛି। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର ନୂତନ ବୁଣ୍ଡିବୁଗୟୋ ଷ୍ଟ୍ରେନ୍‌ର ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ, ଏଠାରେ ୯୦୬ ରୁ ଅଧିକ ସନ୍ଦିଗ୍ଧ ଇବୋଲା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆକ୍ରାନ୍ତଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏହି ନୂତନ ଷ୍ଟ୍ରେନ୍ ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ଘାତକ ପ୍ରମାଣିତ ହେଉଛି।

ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୩୦ ରୁ ୫୦ ପ୍ରତିଶତଙ୍କ ମୃତ୍ୟୁ ଘଟୁଛି। ଏହା ଏକ ଚିନ୍ତାଜନକ ସ୍ଥିତି ବୋଲି ବିଶ୍ବସ୍ବାସ୍ଥ୍ୟ ସଂଗଠନ କହି ଏହାକୁ ବିଶ୍ୱବ୍ୟାପୀ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି। ସବୁଠାରୁ ବଡ଼ ସମସ୍ୟା ହେଉଛି ଏହି ନୂତନ ଷ୍ଟ୍ରେନ୍‌ର ଚିକିତ୍ସା ପାଇଁ ବର୍ତ୍ତମାନ କୌଣସି ଟିକା ଉପଲବ୍ଧ ନାହିଁ। କଙ୍ଗୋରେ ଇବୋଲା ସଂକ୍ରମଣ ଯୋଗୁଁ ୨୨୩ ଜଣ ସନ୍ଦିଗ୍ଧ ମୃତ୍ୟୁ ରେକର୍ଡ କରାଯାଇଛି। ତେବେ ଡିଆର୍‌ସି ଆନୁଷ୍ଠାନିକ ଭାବରେ ମୋଟ ୧୨୫ ଜଣଙ୍କର ଇବୋଲାରେ ମୃତ୍ୟୁ ଘଟିଥିବା ନିଶ୍ଚିତ କରିଛି। ଇଟୁରି, ଉତ୍ତର କିଭୁ ଏବଂ ଦକ୍ଷିଣ କିଭୁ ଭଳି ଘନ ଜନବସତି ଅଞ୍ଚଳରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି।

କଙ୍ଗୋ ଏବଂ ପଡ଼ୋଶୀ ଉଗାଣ୍ଡାରେ ନୂଆ ମାମଲା ରିପୋର୍ଟ ହୋଇଛି। ଘନ ଜନସଂଖ୍ୟା ଥିବା ଅଞ୍ଚଳରେ ଏହାର ସଂକ୍ରମଣ ଜାରି ରହିଛି। ଫଳରେ ରୋଗୀଙ୍କ ସହ ଅନ୍ୟ ଲୋକଙ୍କ ସମ୍ପର୍କକୁ ସଠିକ୍ ଭାବରେ ଚିହ୍ନଟ କରିବା ଏବଂ ସେମାନଙ୍କୁ ଅଲଗା କରିବା କର୍ତ୍ତୃପକ୍ଷଙ୍କ ପାଇଁ କ୍ରମଶଃ କଷ୍ଟକର ହୋଇପଡ଼ିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଅଧିକାରୀ ଆନାଇସ୍ ଲେଗ୍ରାଣ୍ଡଙ୍କ ଅନୁଯାୟୀ, ପ୍ରତି ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହେବାର ସମ୍ଭାବନା ବହୁତ ଅଧିକ ରହିଛି। ସମୟୋଚିତ ପ୍ରାରମ୍ଭିକ ଯତ୍ନ ଏବଂ ଉପଯୁକ୍ତ ଚିକିତ୍ସା ଦ୍ବାରା ମୃତ୍ୟୁହାରକୁ ଯଥେଷ୍ଟ ହ୍ରାସ କରାଯାଇପାରନ୍ତା ବୋଲି ସେ କହିଛନ୍ତି।

Leave a comment