ସିକ୍କିମକୁ ପୂର୍ଣ୍ଣ ସାକ୍ଷର ରାଜ୍ୟ ଘୋଷଣା କଲେ ରାଷ୍ଟ୍ରପତି

ସିକ୍କିମ ଏବେ ଦେଶର ପଞ୍ଚମ ପୂର୍ଣ୍ଣ ସାକ୍ଷର ରାଜ୍ୟ ପାଲଟିଛି। ସମାଜରେ ସମସ୍ତଙ୍କ ଲାଗି ଆଜୀବନ ଶିଖିବାର ବୋଧ (ୟୁଏଲଏଲଏଏସ) ପଦକ୍ଷେପରେ ଏହି ସଫଳତା ହାସଲ କରାଯାଇଛି। ଗ୍ୟାଙ୍ଗଟକ ମନନ କେନ୍ଦ୍ରରେ ଅନୁଷ୍ଠିତ ସିକ୍କିମ ବିଶ୍ୱବିଦ୍ୟାଳୟର ଦିକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ସିକ୍କିମକୁ ପୂର୍ଣ୍ଣ ସାକ୍ଷର ରାଜ୍ୟ ଘୋଷଣା କରାଯାଇଛି।

ଶିକ୍ଷାକ୍ଷେତ୍ରରେ ଐତିହାସିକ ଉପଲବ୍ଧି
ସିକ୍କିମ ଏବେ ସେହି ରାଜ୍ୟଙ୍କ ତାଲିକାରେ ସାମିଲ ହୋଇଯାଇଛି ଯେଉଁଥିରେ ମିଜୋରାମ, ଗୋଆ, ତ୍ରିପୁରା ଓ ହିମାଚଳ ପ୍ରଦେଶ ଆଦି ରାଜ୍ୟ ଅଛନ୍ତି। ସେହିପରି ପୂର୍ବୋତ୍ତର କ୍ଷେତ୍ରରେ ସିକ୍କିମ ତୃତୀୟ ରାଜ୍ୟ ଯାହା ପୂର୍ଣ୍ଣ ସାକ୍ଷରତା ଲକ୍ଷ୍ୟ ହାସଲ କରିଛି। ଦେଶରେ ପୂର୍ଣ୍ଣ ସାକ୍ଷର ରାଜ୍ୟ ମାନ୍ୟତା ହାସଲ କରିବାରେ ମିଜୋରାମ ଦେଶର ପ୍ରଥମ ରାଜ୍ୟ ଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁରୂପ ଆରମ୍ଭ ହୋଇଥିବା ଉଲ୍ଲାସ ପଦକ୍ଷେପର ଉଦ୍ଦେଶ୍ୟ ୧୫ ବର୍ଷ ଓ ତାଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୟସ୍କ ଶିକ୍ଷା, କାମ କରିବାର ସ୍କିଲ ଓ ଜୀବନ ବ୍ୟାପୀ ଶିଖିବାର ସୁଯୋଗ ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିରନ୍ତର ଶିଖିବା ଓ ଦକ୍ଷତା ବିକାଶକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି।

ଜାଣନ୍ତୁ କଣ କହିଲେ ମୁଖ୍ୟମନ୍ତ୍ରୀ ତମାଙ୍ଗ
ରାଜ୍ୟସରକାରଙ୍କ ଅଧିକାରୀକ ଘୋଷଣାରେ କୁହାଯାଇଛି ଯେ ଏହି ସମ୍ମାନ ସିକ୍କିମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଏହା ମୁଖ୍ୟମନ୍ତ୍ରୀ ପ୍ରେମସିଂହ ତମାଙ୍ଗ ଙ୍କ ବ୍ୟବହାରିକ ଓ ଦୂରଦର୍ଶି ନେତୃତ୍ୱରେ ଶୈକ୍ଷିକ ସଶକ୍ତିକରଣ ତଥା ସମାବେସୀ ବିକାଶ ପ୍ରତି ରାଜ୍ୟର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସିକ୍କିମ ଗସ୍ତ କାଳରେ ରାଜ୍ୟକୁ ‘ପୂର୍ଣ୍ଣ ସାକ୍ଷର’ ଘୋଷଣାରେ ମୁଖ୍ୟମନ୍ତ୍ରୀ ତମାଙ୍ଗ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଉପଲବ୍ଧି ଆମ ରାଜ୍ୟର ଶିକ୍ଷାଗତ ତଥା ସାମାଜିକ ପ୍ରଗତିରେ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ।

Leave a comment