ଟ୍ୱିଶାଙ୍କ ଶାଶୂ ତଥା ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ
ଟ୍ୱିଶା ଶର୍ମା ଘଟଣାରେ ବଡ଼ ଅପଡେଟ ଖବର ସାମ୍ନାକୁ ଆସିଛି। ଟ୍ୱିଶାଙ୍କ ଶାଶୂ ତଥା ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କୁ ଗୁରୁବାର ସିବିଆଇ ଗିରଫ କରିଛି। ମେ ୧୨ ତାରିଖରେ ବାସଭବନରୁ ବୋହୂ ଟ୍ୱିଶାଙ୍କ ମୃତଦେହ ମିଳିବାର ୧୬ ଦିନ ପରେ ବିଚାରପତି ଶାଶୂଙ୍କୁ ଗିରଫ କରାଯାଇଛି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରା ଜାମିନ ଖାରଜ ହେବା ପରେ ଗରିବାଳାଙ୍କୁ ଗିରଫ କରିବା ପାଇଁ ଗୁରୁବାର ସିବିଆଇର ଏକ ଟିମ୍ ତାଙ୍କର ଭୋପାଳସ୍ଥିତ ବାସଭବନରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ଗରିଫ କରି ହେପାଜତକୁ ନେଇଛି।
ମିଳିଥିବା ରିପୋର୍ଟ ଅନୁସାରେ, ଭୋପାଳର ବାଗ୍ ମୁଗଲିଆ ଏକ୍ସଟେନସନ୍ ଅଞ୍ଚଳରେ ଥିବା ଗିରିବାଳା ସିଂହଙ୍କ ବାସଭବନରେ ସିବିଆଇ ଅଧିକାରୀମାନେ ପ୍ରବେଶ କରୁଥିବାର ଦେଖାଯାଇଥିଲା। ସୂତ୍ର ଅନୁସାରେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଜେନ୍ସି ତାଙ୍କୁ ହେପାଜତକୁ ନେବା ପୂର୍ବରୁ ପଚରାଉଚରା କରିଥିଲା।
ହାଇକୋର୍ଟ କାହିଁକି ଜାମିନ ଖାରଜ କଲେ?
ଏହା ପୂର୍ବରୁ ଗିରିବାଳା ସିଂଙ୍କୁ ଏକ ସେସନ୍ସ କୋର୍ଟ ଅଗ୍ରୀମ ଜାମିନ ପ୍ରଦାନ କରିଥିଲେ। ମାତ୍ର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଭାକେସନ୍ ଜଜ୍ ଜଷ୍ଟିସ ଦେବନାରାୟଣ ମିଶ୍ର ଏହି ଜାମିନକୁ ରଦ୍ଦ କରିଛନ୍ତି। କୋର୍ଟ ନିଜର ୧୭ ପୃଷ୍ଠାର ନିର୍ଦ୍ଦେଶରେ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି:
ଶାରୀରିକ ନିର୍ଯାତନା: ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଟ୍ୱିଶାଙ୍କ ଶରୀରରେ ମୃତ୍ୟୁ ପୂର୍ବରୁ ୭ଟି ଗୁରୁତର ଆଘାତ ଚିହ୍ନ ଥିଲା, ଯାହାର କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଶ୍ୱଶୁର ଘର ପକ୍ଷରୁ ମିଳି ନାହିଁ।
ମାନସିକ ନିର୍ଯାତନା ଓ ହ୍ୱାଟ୍ସଆପ୍ ଚାଟ୍: ଉଦ୍ଧାର କରାଯାଇଥିବା ହ୍ୱାଟ୍ସଆପ୍ ଚାଟ୍ରୁ ସ୍ପଷ୍ଟ ହୋଇଛି ଯେ ଟ୍ୱିଶାଙ୍କ ଚରିତ୍ର ସଂହାର କରାଯିବା ସହ ତାଙ୍କୁ ମାନସିକ ସ୍ତରରେ ପ୍ରବଳ ନିର୍ଯାତନା ଦିଆଯାଉଥିଲା।
ଗର୍ଭପାତ ପାଇଁ ଚାପ: ଗିରିବାଳା ଏବଂ ତାଙ୍କ ପୁଅ, ଟ୍ୱିଶାଙ୍କ ଉପରେ ଗର୍ଭପାତ କରାଇବା ପାଇଁ ଚାପ ପକାଉଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ଆସିଛି।
CBI ଟିମ୍ ଗିରିବାଲା ସିଂଙ୍କ ଭୋପାଳ ବାସଭବନରେ ପହଞ୍ଚି ଘଟଣାସ୍ଥଳର 3D ମ୍ୟାପିଂ ଏବଂ ଅପରାଧ ସ୍ଥଳର ପୁନଃନିର୍ମାଣ (Crime Scene Reconstruction) କରୁଛି। ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂ ପୂର୍ବରୁ ହିଁ CBI ହେପାଜତରେ ଅଛନ୍ତି। ଗିରିବାଳା ସିଂ ଜଣେ ପୂର୍ବତନ ବିଚାରପତି ହୋଇଥିବାରୁ ସେ ନିଜ ପ୍ରଭାବ ଖଟାଇ ପ୍ରମାଣ ନଷ୍ଟ କରିବାକୁ ଏବଂ ସୋସିଆଲ ମିଡିଆରେ କିଛି ମନଗଢ଼ା ଭିଡିଓ କ୍ଲିପ୍ ସେୟାର କରି ମାମଲାକୁ ଭଟକାଇବାକୁ ଚେଷ୍ଟା କରୁଥିଲେ ବୋଲି CBI କୋର୍ଟରେ ଦର୍ଶାଇଛି।