ଦେଶର ଅଧିକାଂଶ ଅଞ୍ଚଳରେ ଏବେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି,ଅଂଶୁଘାତ ଯୋଗୁ ୧୬ ମୃତ
ଦେଶର ଅଧିକାଂଶ ଅଞ୍ଚଳରେ ଏବେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଅତି ସାଂଘାତିକ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିଛି । ଅତ୍ୟଧିକ ତାପମାତ୍ରା ଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁର ଖବର ମଧ୍ୟ ଆସୁଛି। ଶୁକ୍ରବାର କେବଳ ଆନ୍ଧ୍ରପ୍ରଦେଶରେ ୨୧ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ବିଜୟୱାଡ଼ାରେ କେବଳ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସରକାରୀ ତଥ୍ୟ ଅନୁଯାୟୀ ତେଲେଙ୍ଗାନାର ଚଳିତ ଗ୍ରୀଷ୍ମରେ ୭ ଜିଲ୍ଲାରେ ଅଂଶୁଘାତ ଯୋଗୁ ୧୬ ଜଣଙ୍କର ମୃତ୍ୟୁ ହୋଇଛି ।
ତେଲେଙ୍ଗାନାର ଜୟଶଙ୍କର ଭୁପାଲପଲ୍ଲିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୱାରଙ୍ଗଲ , କରିମନଗର ଏବଂ ନିଜାମାବାଦରେ ୩ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ଜୋଗୁଲାମ୍ବା ଗଡ଼ୱାଲ, ରାଙ୍ଗାରେଡ୍ଡି ଏବଂ ସୂର୍ଯ୍ୟପେଟ ଜିଲ୍ଲାରେ ଜଣେ ଲେଖାଏ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେଲେଙ୍ଗାନା ସରକାର ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଓଡ଼ିଶାରେ ଏଯାଏଁ ଅଂଶୁଘାତ ମୃତ୍ୟୁ ସରକାରୀ ସ୍ତରରେ ୩ କୁହାଯାଉଥିବା ବେଳେ ବେସରକାରୀ ସ୍ତରରେ ଏହା ୨୦ ବୋଲି କୁହାଯାଉଛି ।