ପାରଦଠୁ ଅଧିକ ଡରାଉଛି ଗୁଳୁଗୁଳି , ତାପମାତ୍ରା ୪୦, କିନ୍ତୁ ଦେହକୁ ଲାଗୁଛି ୫୦ ଡିଗ୍ରୀ
ଖଳନାୟକ ସାଜିଛି ‘ହିଟ୍ ଇଣ୍ଡେକ୍ସ’ । ପାରଦଠୁ ଅଧିକ ଡରାଉଛି ଗୁଳୁଗୁଳି । ତାପମାତ୍ରା ୪୦, କିନ୍ତୁ ଦେହକୁ ଲାଗୁଛି ୫୦ ଡିଗ୍ରୀ । ସକାଳ ସାଢ଼େ ୫ଟାରୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି । ତାପମାତ୍ରା ୩୧.୪ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ଗତ ୪ ଦିନରେ ସକାଳ ତାପମାତ୍ରା ସର୍ବାଧିକ। ଓଡ଼ିଶାରେ ସୀମା ପାର୍ କଲାଣି ‘ହିଟ୍ ଇଣ୍ଡେକ୍ସ’ । ସନ୍ତୁଳି ହେଉଛି ଉପକୂଳରୁ ଆଭ୍ୟନ୍ତରୀଣ । ଓଡ଼ିଶାବାସୀଙ୍କୁ କାହିଁକି ଅସ୍ତବ୍ୟସ୍ତ କରୁଛି ‘ଆପାରେଣ୍ଟ ଟେମ୍ପରେଚର’? ଓଡ଼ିଶାରେ ଏବେ ସୂର୍ଯ୍ୟଦେବଙ୍କ ରୌଦ୍ରରୂପ । ଦିନକୁ ଦିନ ତାପମାତ୍ରା ବଢ଼ିଚାଲିଥିବା ବେଳେ ଏବେ ଅସଲ ଖଳନାୟକ ସାଜିଛି ‘ହିଟ୍ ଇଣ୍ଡେକ୍ସ’ ବା ସୂଚକାଙ୍କ । ସାଧାରଣ ଥର୍ମୋମିଟରର ପାରଦ ଯାହା ଦେଖାଉଛି, ପ୍ରକୃତରେ ଶରୀରକୁ ତା’ଠାରୁ ଅନେକ ଗୁଣ ଅଧିକ ଗରମ ଓ କଷ୍ଟ ଅନୁଭୂତ ହେଉଛି । ଏହି ‘ଫିଲ୍ସ-ଲାଇକ୍’ ତାପମାତ୍ରା ଯୋଗୁଁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରଖର ଶୁଖିଲା ଖରା ସହ ତାପମାତ୍ରା ୪୪ଡିଗ୍ରୀ ପାର୍ କରିଥିବା ବେଳେ, ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ସ୍ଥିତିକୁ ଅତି ସଂଗୀନ କରିଦେଇଛି । ଏଠାରେ ହିଟ୍ ଇଣ୍ଡେକ୍ସ ପ୍ରାୟ ୪୫ ରୁ ୫୦°C ଉପରେ ରହୁଛି, ଯାହା ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ । ବାୟୁମଣ୍ଡଳର ପ୍ରକୃତ ତାପମାତ୍ରା ସହିତ ଯେତେବେଳେ ଆଦ୍ରତା ବା ଗୁଳୁଗୁଳି ମିଶିଯାଏ, ସେତେବେଳେ ଆମ ଶରୀରକୁ ଯେଉଁ ତାପମାତ୍ରା ଅନୁଭୂତ ହୁଏ, ତାକୁ ‘ଆପାରେଣ୍ଟ ଟେମ୍ପରେଚର’ ବା ହିଟ୍ ଇଣ୍ଡେକ୍ସ କୁହାଯାଏ । ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହିଲେ ଶରୀରରୁ ବାହାରୁଥିବା ଝାଳ ସହଜରେ ଶୁଖେନାହିଁ । ଝାଳ ନ ଶୁଖିବା ଯୋଗୁଁ ଶରୀରର ପ୍ରାକୃତିକ ଶୀତଳୀକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ ଏବଂ ଭିତରର ତାପମାତ୍ରା ଦ୍ରୁତ ଗତିରେ ବଢ଼ିବାକୁ ଲାଗେ । ଉପକୂଳ ଓଡ଼ିଶାରେ ଯଦି ଦିନର ତାପମାତ୍ରା ୩୮–୪୦ଡିଗ୍ରୀ ଥାଏ ଏବଂ ଆଦ୍ରତା ୬୦–୮୦ପ୍ରିତଶତ ରହେ, ତେବେ ମଧ୍ୟାହ୍ନରେ ତାହା ୪୮–୫୫ଡିଗ୍ରୀ ଭଳି ଅସହ୍ୟ ଗରମର ଭ୍ରମ ସୃଷ୍ଟି କରେ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ମେ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ପାଇଁ ସତର୍କ ସୂଚନା ଜାରି କରିଛି ।